ଖବର ଓଡ଼ିଶା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢ଼ିବା ନେଇ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଶନିବାର କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପ୍ରତ୍ୟେକ ଭାରତୀୟଙ୍କର ଅଭିଳାଷ ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ ରାଜ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି କାରଣ ସେମାନେ ସିଧାସଳଖ ଲୋକଙ୍କ ସହ ଜଡିତ ଅଟନ୍ତି ।
ମୋଦୀଙ୍କ ଉଦ୍ଧେଶ୍ୟରେ ଆୟୋଗ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପ୍ରତ୍ୟେକ ଭାରତୀୟଙ୍କର ଅଭିଳାଷ । ଏହି ଲକ୍ଷ୍ୟ ହାସଲ କରିବାରେ ରାଜ୍ୟମାନେ ଏକ ସକ୍ରିୟ ଭୂମିକା ଗ୍ରହଣ କରିପାରନ୍ତି କାରଣ ସେମାନେ ଲୋକମାନଙ୍କ ସହିତ ସିଧାସଳଖ ସଂଯୁକ୍ତ ଅଟନ୍ତି । ସେ କହିଛନ୍ତି ଯେ ଏହି ଦଶନ୍ଧି ହେଉଛି ବୈଷୟିକ ଏବଂ ଭୌଗୋଳିକ ପରିବର୍ତ୍ତନ ଏବଂ ସୁଯୋଗ ମଧ୍ୟରୁ ଅନ୍ୟତମ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏହି ସୁଯୋଗଗୁଡିକର ଲାଭ ଉଠାଇବା ଉଚିତ ଏବଂ ଆନ୍ତର୍ଜାତୀୟ ପୁଞ୍ଜି ବିନିଯୋଗ ପାଇଁ ଏହାର ନୀତି ଅନୁକୂଳ କରିବା ଉଚିତ । ଭାରତକୁ ଏକ ବିକଶିତ ଦେଶ କରିବା ଦିଗରେ ଏହା ହେଉଛି ପ୍ରଗତିର ପଥ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଉପରେ ଏହି ବୈଠକରେ ଧ୍ୟାନ ଦିଆଯାଇଛି । ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବଣ୍ଟନ ବ୍ୟବସ୍ଥାକୁ ମଜବୁତ କରି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଜନଜାତିଙ୍କ ଜୀବନଶୈଳୀକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗୀ ଶାସନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା।
ବୈଠକରେ ବିରୋଧୀ ଦଳର ଏକାଧିକ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନାହାଁନ୍ତି । କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯଥା କର୍ଣ୍ଣାଟକର ସିଦ୍ଧରମୈୟା, ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁକ୍ଖୁ ଓ ତେଲଙ୍ଗାନାର ରେବନ୍ତ ରେଡ୍ଡୀ ନୀତି ଆୟୋଗର ବୈଠକରେ ଯୋଗ ଦେଇ ନାହାଁନ୍ତି । ସେହିପରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ ଡିଏମ୍କେ ନେତା ଏମ୍କେ ଷ୍ଟାଲିନ, କେରଳର ମୁଖ୍ୟମନ୍ତ୍ରୀ ଓ ସିପିଆଇ ନେତା ପିନରାଇ ବିଜୟନଙ୍କ ସହିତ ଆମ ଆଦମୀ ପାର୍ଟିର ନେତୃତ୍ୱରେ ପରିଚାଳିତ ପଂଜାବ, ଦିଲ୍ଲୀ ସରକାର ମଧ୍ୟ ବୈଠକକୁ ବହିଷ୍କାର କରିଛନ୍ତି । କିନ୍ତୁ ତୃଣ ମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଯୋଗ ଦେବା ପରେ ଅଧାରୁ ଉଠି ଚାଲିଯାଇଥିଲେ ।