ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସରେ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଏଠାରେ ବସ୍ ଓ ମ୍ୟାକ୍ସ ମଧ୍ୟରେ ଭୀଷଣ ଧକ୍କା ହେବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ସାମିଲ । ପାରିପାଶ୍ୱର୍ିକ ସ୍ଥିତିକୁ ଦେଖିଲେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଶ୍ରାଦ୍ଧ ଭୋଜି ଖାଇ ଫେରିବା ସମୟରେ ମ୍ୟାକ୍ସକୁ ଏକ ବସ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ।
ଏହି ଦୁର୍ଘଟଣା ହାଥରସର ଚନ୍ଦପା ଥାନା ଅନ୍ତର୍ଗତ ଆଗ୍ରା-ଅଲିଗଢ ବାଇପାସ ସ୍ଥିତ ମିତଇ ଗାଁ ନିକଟରେ ଘଟିଛି । ମ୍ୟାକ୍ସରେ ବସିଥିବା ଲୋକେ ମୁକୁନ୍ଦ ଖେଡା ଗାଁର ଶ୍ରାଦ୍ଧ ଭୋଜି ଖାଇ ନିଜ ଗାଁ ସେବଲା ଫେରୁଥିଲେ । ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ଜିଲ୍ଲା ହସ୍ପିଟାଲ୍ରେ ଜିଲ୍ଲାପାଳ ଓ ଏସପି ପହଞ୍ଚିଛନ୍ତି । ତେବେ ଦୁର୍ଘଟଣାସ୍ଥଳ ଦେଇ ଯାତାୟତ କରୁଥିବା ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇ ମ୍ୟାକ୍ସରେ ଫସିଥିବା ଲୋକଙ୍କୁ ବାହାର କରି ରାସ୍ତା ଉପରକୁ ଆଣିଥିଲେ । ସେହି ସମୟରେ କିଛି ଲୋକଙ୍କ ପ୍ରାଣହାନୀ ଘଟି ସାରିଥିଲା । ଘଟଣାସ୍ଥଳକୁ ଅଧିକାରୀ ଓ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ୧୦ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ହାଥରସ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ହୋଇଥିବା ମୃତାହତକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ମୃତକଙ୍କ ଶୋକ ସନ୍ତପ ପରିଜନ ପ୍ରତି ମୋର ଗଭୀର ସମବେଦନା । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ଆତ୍ମା ସଦଗତି ପ୍ରାପ୍ତି ହେଉ ଏବଂ ଆହତ ଶୀଘ୍ର ଆରୋଗ୍ୟଲାଭ କରନ୍ତୁ ।