ଇସଲାମାବାଦ: ଭାରତରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନ ଆତଙ୍କବାଦୀଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି ସବୁବେଳେ ହାତ ଟେକୁଥିବା ବେଳେ ଏବେ ତା'ର ଅସଲ ଚେହେରା ପଦାକୁ ଆସିଛି। ନିଜେ ପାକିସ୍ତାନ ସେନା ଏହାର ଖୁଲାସା କରିଛି। ପାକିସ୍ତାନର ପ୍ରତ୍ୟେକ ଗଳିରେ ଆତଙ୍କବାଦୀମାନେ ବୁଲୁଛନ୍ତି ବୋଲି ସେନା କହିଛି। ଏହାର ମୁକାବିଲା ପାଇଁ ସେନାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବାସ୍ତବରେ ପାକିସ୍ତାନୀ ସେନା ନିଜ ପ୍ରଶଂସାରେ ଏସବୁ କଥା କହୁଥିଲା, କିନ୍ତୁ ଏହି ତଥ୍ୟ ପାକିସ୍ତାନ ସରକାରଙ୍କ ଦାବିକୁ ଉଡାଇ ଦେଇଥିଲା।ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମିଦଙ୍କ ବିରୋଧରେ କୋର୍ଟ ମାର୍ଶାଲରେ ସେନା ମୁଖପାତ୍ର କିଛି ତଥ୍ୟ ଦେଇଛନ୍ତି ଯାହା ପାକିସ୍ତାନ ସରକାରଙ୍କୁ ପଦାରେ ପକାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ସେନା କହିଛି ଯେ ପାକିସ୍ତାନରେ ସେନାକୁ ଦୈନିକ ୧୩୦ଅପରେସନ୍ କରିବାକୁ ପଡ଼ୁଛି। ମାତ୍ର ୮ ମାସ ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ୩୨,୧୭୩ଅପରେସନ୍ କରାଯାଇଛି। ସେଥିମଧ୍ୟରୁ ଗତ ମାସରେ ୪,୦୨୧ଅପରେସନ୍ କରାଯାଇଥିଲା, ଯେଉଁଥିରେ ୯୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ପାକିସ୍ତାନ ସେନାର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ କହିଛନ୍ତି ଯେ ସେନା, ଗୁଇନ୍ଦା ଏଜେନ୍ସି ଏବଂ ପୋଲିସ ପ୍ରତିଦିନ ଆତଙ୍କବାଦୀଙ୍କ ବିରୋଧରେ ୧୩୦ରୁ ଅଧିକ ଅପରେସନ କରୁଛନ୍ତି, କିନ୍ତୁ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଉନାହିଁ ।
ଆତଙ୍କବାଦୀଙ୍କ ବିରୋଧରେ ସେନା ଅପରେସନରେ ଅନେକ ଯବାନ ସହିଦ ମଧ୍ୟ ହୋଇଛନ୍ତି । ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ଗତ ୮ ମାସ ମଧ୍ୟରେ ୧୯୩ ଜଣ ଯବାନ ସହିଦ ହୋଇଛନ୍ତି। ସେପଟେ ଆତଙ୍କବାଦୀଙ୍କ ସହ ଲଢେଇ ବେଳେ ଶହ ଶହ ଯବାନ ଆହତ ହୋଇଛନ୍ତି। ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି), ଲସ୍କର-ଇ-ଇସଲାମ, ଜମାତ-ଉଲ-ଅହରାର ସମେତ ପାକିସ୍ତାନରେ ଶହ ଶହ ଆତଙ୍କବାଦୀ ସଂଗଠନ ରହିଛି। ସେପଟେ ବଲୋଚରେ ବିଦ୍ରୋହୀମାନେ ପାକିସ୍ତାନ ସେନା ବିରୋଧରେ ଅସ୍ତ୍ରଶସ୍ତ୍ର ଉଠାଉଛନ୍ତି। ସେଠାରୁ ଦୈନିକ ଆକ୍ରମଣ ମଧ୍ୟ କରାଯାଉଛି। ଆତଙ୍କବାଦୀଙ୍କ ନିପାତ ନହେବା ପର୍ଯ୍ୟନ୍ତ ସେନାର ଏହି ଅପରେସନ ଜାରି ରହିବ ବୋଲି ସେନା ମୁଖପାତ୍ର କହିଛନ୍ତି। ପାକିସ୍ତାନର ରାଜରାସ୍ତାରେ ଆତଙ୍କବାଦୀ ଜନ୍ମ ନେଉଛନ୍ତି, ସେମାନଙ୍କ ମୁକାବିଲା କରିବା ଜରୁରୀ ହେବ।
ଅଧିକ ପଢ଼ନ୍ତୁ: ବିଳମ୍ବିତ ରାତିରେ ଗୁଳି ଫୁଟିଲା, ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା