ଇମ୍ଫାଲ: ମଣିପୁରରେ ଗତ ବର୍ଷ ମେ ମାସରୁ ଚାଲିଥିବା ଉତ୍ତେଜନା ଥମିବାର ନାଁ ନେଉନି । ବିଷ୍ଣୁପୁରରେ ରକେଟ୍ ଆକ୍ରମଣ ପରେ ଏବେ ହିଂସାରେ ଅତି କମରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ପାରିପାଶ୍ୱର୍ିକ ସ୍ଥିତି ଦେଖିଲେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଜଣେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଶୋଇବା ଅବସ୍ଥାରେ ହିଁ ଗୁଳି କରି ହତ୍ୟା କରାଯାଇଛି । ଏହା ପରେ ହୋଇଥିବା ଗୁଳିମାଡରେ ଆଉ ଚାରି ଜଣ ଅସ୍ତ୍ରଶସ୍ତ୍ର ଧରିଥିବା ଲୋକଙ୍କ ମୃତ୍ୟୁ ଘଟିଛି ।
ଅଧିକାରୀ କହିଛନ୍ତି, ଉଗ୍ରବାଦୀ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଏକ ଶୂନଶାନ ସ୍ଥାନରେ ଏକାକୀ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୁଣି ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ସାତ କିଲୋମିଟର ଦୂର ପାହାଡିଆ ଅଞ୍ଚଳରେ ଯୁଦ୍ଧଗ୍ରସ୍ତ ସମୁଦାୟର ହତିଆର ଧରିଥିବା ଲୋକଙ୍କ ମଧ୍ୟରେ ଗୁଳିମାଡ ହୋଇଥିଲା । ଏଥିରେ ତିନି ପାହାଡି ଉଗ୍ରବାଦୀଙ୍କ ସହିତ ଚାରି ଜଣଙ୍କ ମୃତ୍ୟୁ ଘଟିଛି ।
ଗୁଳିମାଡରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କୁକି ଓ ମେତେଇ ସଂପ୍ରଦାୟର ଅଟନ୍ତି । ଏହି ସଦ୍ୟତମ ହିଂସା ଘଟଣା ପରେ ଗତ ପାଞ୍ଚ ଦିନ ହେବ ମଣିପୁରରେ ଉତ୍ତେଜନା ବୃଦ୍ଧି ପାଇଛି । ଏହା ବ୍ୟତୀତ ୨ ମଣିପୁର ରାଇଫଲ୍ସ ଓ ୭ ମଣିପୁର ରାଇଫଲ୍ସର ମୁଖ୍ୟାଳୟରୁ ଅସ୍ତ୍ରଶସ୍ତ୍ର ଲୁଟିବାକୁ ଉଦ୍ୟମ ହୋଇଛି ।
ଗତ ୧୭ ମାସରୁ ଚାଲି ଆସିଥିବା ହିଂସାରେ ପ୍ରଥମ ଥର ରକେଟ୍ ଆକ୍ରମଣ କରାଯାଇଛି । ପୋଲିସ ଅନୁସାରେ କୁକି ଉଗ୍ରବାଦୀ ଲଙ୍ଗ ରେଞ୍ଜ ରକେଟ୍ ନିକ୍ଷେପ କରିଛନ୍ତି । ହିଂସାକୁ ଦୃଷ୍ଟିରେ ରଖି ପ୍ରଶାସନ ଶନିବାର ସମଗ୍ର ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି । ଗତ ବର୍ଷ ମେ ୩ ତାରିଖରୁ ମଣିପୁର ଜାତିଗତ ହିଂସାର ଶିକାର ହୋଇ ଚାଲିଛି ।