ନୂଆଦିଲ୍ଲୀ: ମୁମ୍ବାଇରୁ ଫ୍ରାଙ୍କଫର୍ଟ ଯାଉଥିବା ଭିସ୍ତାରା ଏୟାରଲାଇନ୍ସର ବିମାନକୁ ସୁରକ୍ଷା କାରଣରୁ ତୁର୍କୀର ଏର୍ଜୁରମ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି । ଭିସ୍ତାରା ବୋଇଙ୍ଗ ୭୮୭ର ଶୌଚାଳୟରେ ଏକ ଟିସୁ ପେପରରେ ବିମାନରେ ବୋମା ଥିବା ମେସେଜ ମିଳିଥିଲା । ଏହି କାରଣରୁ ବିମାନର ଦିଗ ବଦଳାଇ ତୁର୍କୀର ଏର୍ଜୁରନ ବିମାନ ବନ୍ଦରରେ ଅବତରଣ କରାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି ।
ଏହି ଘଟଣାରେ ଭିସ୍ତାର ଏୟାରଲାଇନ୍ସର ନିଜର ବିବୃତିରେ କହିଛି ଯେ, ମାମଲାର ପୂରା ତଦନ୍ତ କରାଯିବ । ମୁଖପାତ୍ର କହିଛନ୍ତି, ସେପ୍ଟେମ୍ବର ୬ ତାରିଖରେ ମୁମ୍ବାଇରୁ ଫ୍ରାଙ୍କଫର୍ଟ ଅଭିମୁଖେ ଯାତ୍ରା କରୁଥିବା ଭିସ୍ତାରା ବିମାନକୁ ସୁରକ୍ଷା କାରଣରୁ ତୁର୍କୀରେ ଦିଗ ବଦଳାଇବାକୁ ପଡିଛି । ବିମାନକୁ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଯାଇଛି । ପୂରା ଘଟଣାରେ ଯାଞ୍ଚ ଏଜେନ୍ସିକୁ ପୁରା ସହଯୋଗ କରାଯାଉଛି ।
ଭିସ୍ତାରା ପକ୍ଷରୁ କୁହାଯାଇଛି ଯେ, ଯଦି ସିକ୍ୟୁରିଟି ଯାଞ୍ଚ ପରେ ଏହା ଜଣା ପଡେ ଯେ ବିମାନରେ ବୋମା ଥିବା ଖବର ଗୁଜବ ତେବେ ବିମାନ ପୁନର୍ବାର ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବ । ବୋମା ଧମକ କିଏ ଲେଖିଛି ତାର ହ୍ୟାଣ୍ଡ ରାଇଟିଂ ତଦନ୍ତ ହେବା ଉଚିତ୍ ବୋଲି ଜଣେ ବରିଷ୍ଠ ପାଇଲଟ୍ କହିଛନ୍ତି । ଏହି ଧରଣର ଦିଗ ପରିବର୍ତ୍ତନରେ ଯାତ୍ରୀଙ୍କୁ ବହୁତ ଅସୁବିଧା ହୋଇଥାଏ ଏବଂ ଏୟାରଲାଇନ୍ସର ବହୁତ ଅର୍ଥ ଖର୍ଚ୍ଚ ହୋଇଥାଏ । ଏହା ବ୍ୟତୀତ ବିମାନ ଉଡାଣର କାର୍ଯ୍ୟସୂଚୀ ପ୍ରଭାବିତ ହୋଇଥାଏ ।