ନୂଆଦିଲ୍ଲୀ: ସଂସଦର ଲେଖା କମିଟି(ପବ୍ଲିକ ଆକାଉଣ୍ଟ କମିଟି ବା ପିଏସି) ପକ୍ଷରୁ ସେବିର ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କୁ ସମନ ଜାରି କରି ପଚରା ଉଚୁରା ପାଇଁ ଡକାଯାଇପାରେ । ସେବି କାର୍ଯ୍ୟର ସମୀକ୍ଷା ମଧ୍ୟ ହୋଇପାରେ । ଏହାକୁ ନେଇ ବିବାଦ ହେବାର ସମ୍ଭାବନା ମଧ୍ୟ ରହିଛି କାରଣ କମିଟିର କିଛି ସାଂସଦ ଏକତରଫା ନିଷ୍ପତ୍ତି ବିରୋଧରେ ରହିଛନ୍ତି । କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଗାମୀ ୫ ବର୍ଷରେ ୧୬୧ ବିଷୟ ଉପରେ ଆଲୋଚନା ଓ ସମୀକ୍ଷା କରିବେ ବୋଲି ସ୍ଥିର ହୋଇଛି । ଏହାରି ଆଧାରରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚଙ୍କୁ ମଧ୍ୟ ସମନ ଜାରି ହୋଇପାରେ ।
ଏହି ସମ୍ବନ୍ଧରେ ବିଜେପି ନେତା ତଥା ପିଏସିର ସଦସ୍ୟ ନିଶିକାନ୍ତ ଦୁବେ କହିଛନ୍ତି, ପିଏସି ଅଧ୍ୟକ୍ଷଙ୍କ ପାଖରେ କମିଟିର ମିଟିଂ ଡକାଇବା ପାଇଁ ପୂର୍ଣ୍ଣ ଅଧିକାର ରହିଛି । ମାତ୍ର ପିଏସିର ପ୍ରଚଳନ ଦେଶ ସ୍ୱାଧୀନତା ପୂର୍ବର ରହିଛି ଏବଂ ଏହାର ଅଲଗା ଅଲଗା ନିୟମ ରହିଛି । ଏଥିରୁ ଗୋଟିଏ ନିୟମ ହେଉଛି ସମସ୍ତ ସଦସ୍ୟଙ୍କ ପାଖରେ ଭିଟୋ ପାୱାର ରହିଥାଏ । କୌଣସି ବି ନିୟାମକ ସଂସ୍ଥାର ସମୀକ୍ଷା ତେବେ କରାଯାଇ ପାରିବ ଯେବେ କଂଟ୍ରୋଲ ଆଣ୍ଡ ଅଡିଟର ଜେନେରାଲ ଅର୍ଥାତ ସିଏଜିଙ୍କ ପକ୍ଷରୁ ଏହି ବିଷୟରେ କୌଣସି ରିପୋର୍ଟ ହୋଇଥିବ । ଏହି ରିପୋର୍ଟ ଆଧାରରେ ହିଁ ସମୀକ୍ଷା ପାଇଁ ନିୟାମକର ଅଧିକାରୀଙ୍କୁ ସମନ ଜାରି କରାଯାଇ ପାରିବ ।
ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ୱାମୀ ହିଣ୍ଡନବର୍ଗର ଏକ ରିପୋର୍ଟକୁ ନେଇ ଟାର୍ଗେଟରେ ରହିବା ପରେ ଦମ୍ପତ୍ତିଙ୍କୁ ପିଏସି ପକ୍ଷରୁ ସମନ ଜାରି କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ହିଣ୍ଡନବର୍ଗ ରିପୋର୍ଟରେ ଦାବି କରାଯାଇଛି ଯେ, ମାଧବୀ ଏବଂ ତାଙ୍କ ସ୍ୱାମୀଙ୍କ ଅନେକ ଏମିତି କମ୍ପାନୀ ସହ ଭାଗିଦାରୀ ରହିଛି ଯାହା ଆଡାନୀଙ୍କ ସଂସ୍ଥା ସହ ଜଡିତ । ଦମ୍ପତ୍ତି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତଥାପି ମାଧବୀଙ୍କ ମୁସ୍କିଲ କମିନାହିଁ ।