ଖବର ଓଡ଼ିଶା: ଗୁଜୁରାଟ କ୍ୟାଡର୍ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଧିକାରୀ ତଥା ଅହମ୍ମଦାବାଦସ୍ଥିତ ଅଡ଼ାଲଜ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଡାକ୍ତର ସୁଦୀପ କୁମାର ନନ୍ଦଙ୍କର ପରଲୋକ ଘଟିଛି । ୨୬ ତାରିଖ (ଶୁକ୍ରବାର) ଆମେରିକାରେ ତାଙ୍କର ଦେହାନ୍ତ ହୋଇଛି । ସେ ତାଙ୍କ ଝିଅକୁ ଦେଖା କରିବାକୁ ଆମେରିକା ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ହୃଦଘାତରେ ୬୮ ବର୍ଷ ବୟସରେ ଶ୍ରୀଯୁକ୍ତ ନନ୍ଦଙ୍କର ପରଲୋକ ଘଟିଛି ।
ଡାକ୍ତର ସୁଦୀପ କୁମାର ନନ୍ଦ ୧୯୫୬ ମସିହା ଫେବୃଆରି ୧ ପୁରୀରେ ଜନ୍ମ ଗ୍ରହଣ କରିଥିଲୋ । ୧୯୭୮ ବ୍ୟାଚ୍ ଆଇଏଏସ୍ ଡାକ୍ତର ସୁଦୀପ କୁମାର ନନ୍ଦ ଚାକିରି ସମୟରେ ଗୁଜୁରାଟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ । ଅବସର ସମୟରେ ତାଙ୍କୁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଯାହା ଲୋକଙ୍କ କଲ୍ୟାଣ ପାଇଁ ମହତ୍ୱପୂର୍ଣ୍ଣ ଥିଲା । ସେ ୨୦୧୨ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ସଚିବ ଥିଲେ । ରାଷ୍ଟ୍ରାୟତ୍ତ ଚଝଟ ଗୁଜୁରାଟ ରାଜ୍ୟ ସାର ଏବଂ କେମିକାଲ୍ସ (ଜିଏସଏଫସି) ଲିମିଟେଡରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ ନିଯୁକ୍ତ ହୋଇଥିଲେ ।
ସ୍ୱାସ୍ଥ୍ୟ ବିଭାଗରେ ତାଙ୍କର ସେବାକୁ ବାରମ୍ବାର ପ୍ରଶଂସା କରାଯାଉଥିଲା । ୨୦୦୧ରେ ଭୁଜ୍ ଭୂକମ୍ପ ସମୟରେ ରିଲିଫ୍ କାର୍ଯ୍ୟ ତଦାରଖ କରିବା ଏବଂ ବିପର୍ଯ୍ୟୟ ପରେ ଏକ ମହାମାରୀ ବ୍ୟାପି ନଥିବାର ସୁନିଶ୍ଚିତ କରିବା ପାଇଁ ସେ ଉଲ୍ଲେଖ କରିଥିଲେ । ଆୟୁର୍ବେଦ, ଆଦିବାସୀ ବିକାଶ ଏବଂ ରକ୍ତଦାନ ସହ ଜଡିତ ସରକାରୀ ନୀତିରେ ସେ ଉଲ୍ଲେଖନୀୟ ସହଯୋଗ କରିଥିଲେ । ସେ ଗୁଜୁରାଟର ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଭାବେ କାର୍ଯ୍ୟକରି ବେଶ ପ୍ରଶଂସା ସାଉଂଟିଛନ୍ତି ।
ଶ୍ରୀଯୁକ୍ତ ନନ୍ଦ ଅବସର ନେବା ପରେ ଗାନ୍ଧିନଗରରେ ରହିବାକୁ ପସନ୍ଦ କରିଥିଲେ । ପ୍ରବାସୀ ଓଡ଼ିଆଙ୍କ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଗୁଜୁରାଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସେ ଗାନ୍ଧିନଗରର ଅଡ଼ାଲଜ ନିକଟରେ ଜଗନ୍ନାଥ ମନ୍ଦିରର ନିର୍ମାଣ କରିଥିଲେ । ତାଙ୍କ ଦେହାନ୍ତରେ ମନ୍ଦିର କମିଟି ସଦସ୍ୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ଗୁଜୁରାଟର ବିଭିନ୍ନ ଓଡ଼ିଆ ସମାଜ ପକ୍ଷରୁ ଶୋକ ସଭାର ଆୟୋଜନ କରାଯାଇଛି ।