ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଦେଇଥିବା ବୟାନ ଉପରେ ରାଜନୀତି ଜୋର ଧରିଛି। ବିଜେପି ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସୋନିଆଙ୍କ ବିରୋଧରେ ସଂସଦରେ ବିଶେଷାଧିକାର ହନନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିଥିବା ବିଜେପି ଅଭିଯୋଗ କରିଛି। ବିଜେପିର ୪୦ ସାଂସଦ ଏହି ନୋଟିସ୍ର ସମର୍ଥନ କରିଛନ୍ତି।
ବିଜେପିର ସାଂସଦମାନେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଉଲ୍ଲେଖ କରି କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପ୍ରାଧିକାର, ଭାରତର ରାଷ୍ଟ୍ରପତିଙ୍କ ସମ୍ମାନ ଓ ଗାରିମାକୁ ଅପମାନିତ କରିବା ଭଳି ପ୍ରତୀତ ହୋଇଛି। ଏମିତି ଟିପ୍ପଣୀ କେବଳ ରାଷ୍ଟ୍ରପତି କାର୍ଯ୍ୟାଳୟର ଗାରିମାକୁ ଦୁର୍ବଳ କରୁନି ବରଂ ସଂସଦୀୟ ପ୍ରକ୍ରିୟା ଓ ପରମ୍ପରାର ପବିତ୍ରତାକୁ ମଧ୍ୟ ଉଲ୍ଲଂଘନ କରୁଛି। ତେଣୁ ବିଜେପିର ସାଂସଦମାନେ ସୋନିଅ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ପ୍ରସ୍ତାବ ଆଣିଛନ୍ତି।
ଉଲ୍ଲେଖନୀୟ ମାନନୀୟ ରାଷ୍ଟ୍ରପତିଙ୍କ ବିରୋଧରେ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବୟାନ ପାଇଁ କୌଣସି ପ୍ରକାରର ସଂସଦୀୟ ବିଶେଷାଧିକାରର ଲାଭ ମିଳିବ ନାହିଁ। ପତ୍ରରେ ରାଜା ରାମ ପାଲ୍ ବନାମ ମାନନୀୟ ଅଧ୍ୟକ୍ଷ ଲୋକସଭାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉଲ୍ଲେଖ କରାଯାଇଛି।
କଣ କହିଥିଲେ ସୋନିଆ ଗାନ୍ଧୀ ?
ଜାନୁଆରୀ ୩୧ ବଜେଟ୍ ଅଧିବେଶନ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ସଂସଦକୁ ସମ୍ବୋଧିତ କରିଥିଲେ। ଏହା ପରେ ସୋନିଆ ଗାନ୍ଧୀ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଥିଲେ ଯେ, “ରାଷ୍ଟ୍ରପତି ବହୁତ ଥକି ପଡ଼ିଥିଲେ, ଠିକ୍ରେ କହି ପାରୁ ନ ଥିଲେ, ବିଚାରୀ ମହିଳା”।
ରାଷ୍ଟ୍ରପତି ଭବନ ଏହି ଟିପ୍ପଣୀକୁ ଅସ୍ଵୀକାର୍ଯ୍ୟ ଦର୍ଶାଇବା ସହ ରାଷ୍ଟ୍ରପତି ଥକି ନ ଥିଲେ ବୋଲି କହିଥିଲେ। ବିଜେପି ନେତା ଏହି ବୟାନକୁ ନେଇ ସୋନିଆ ଗାନ୍ଧୀଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ଏହି ବୟାନ କେବଳ ଆଦିବାସୀ ସମୁଦାୟ ନୁହେଁ ବରଂ ପୂରା ଗଣତନ୍ତ୍ର ପାଇଁ ଅପମାନଜନକ।