ନୂଆଦିଲ୍ଲୀ: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ରାଜ୍ୟସଭାରେ ମହାକୁମ୍ଭରେ ଦଳଚକଟା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟର ଯୋଗୀ ସରକାର ଉପରେ ହମଲା କରିଛନ୍ତି। ସେ କହିଛନ୍ତି, ମହାକୁମ୍ଭରେ ଦଳଚକଟା ସମୟରେ ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଖଡ଼ଗେଙ୍କ ଏହି ବୟାନକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କୁ ନିଜର ଏହି ପ୍ରତିକ୍ରିୟା ପ୍ରତ୍ୟାହାର କରିବାକୁ କହିଛନ୍ତି।
ପିଟିଆଇ ଅନୁଯାୟୀ, ଖଡ଼ଗେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦର ଉଚ୍ଚ ସଦନରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ମହାକୁମ୍ଭରେ ଗତ ଦିନରେ ଦଳଚକଟା ସମୟରେ ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ତାଙ୍କର ଏହି ବୟାନକୁ ଗୃହରେ ତୀବ୍ର ବିରୋଧ କରିଛନ୍ତି ଶାସକ ଏନଡିଏର ସଦସ୍ୟ।
ଏହା ପରେ ଖଡ଼ଗେ କହିଛନ୍ତି, ଏହା ମୋର ଅନୁମାନ। ଯଦି ଏହା ସତ ନୁହେଁ ତେବେ ଆପଣ ସଠିକ୍ ସଂଖ୍ୟା କୁହନ୍ତୁ। ମୁଁ କାହାରିକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା କହୁନାହିଁ। କିନ୍ତୁ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାର ବାସ୍ତବ ସଂଖ୍ୟା ତ ଜଣାନ୍ତୁ। ଯଦି ମୁଁ ଭୁଲ୍ ତେବେ କ୍ଷମା ମାଗିବି। ସରକାରଙ୍କୁ ମୃତକଙ୍କ ସଠିକ୍ ସୂଚନା ଦେବା ଉଚିତ୍।
ଏହା ପରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଙ୍କୁ ନିଜର ଏହି ବୟାନ ଫେରାଇ ନେବାକୁ ଅପିଲ୍ କରିଛନ୍ତି। ଧନଖଡ଼ କହିଛନ୍ତି, ବିରୋଧୀ ଦଳର ନେତା ହଜାର ସଂଖ୍ୟକ ସୂ୍ଚନା ଦେଇଛନ୍ତି। ମୁଁ ତାଙ୍କୁ ଅପିଲ୍ କରୁଛି ଯେ, ଏହି ଗୃହରେ ଯାହା ବି କୁହାଯାଏ ତାର ବହୁତ ମହତ୍ଵ ରହିଛି। ଆପଣ ଏମିତି କିଛି କହିଛନ୍ତି, ଯାହା ଶୁଣି ସମସ୍ତେ ସ୍ତବ୍ଧ। ଏଠାରୁ ଯେଉଁ ସନ୍ଦେଶ ଯାଇଥାଏ, ତାହା ଖଣ୍ଡନ କଲେ ବି ପୂରା ଦୁନିଆକୁ ଯାଇଥାଏ