ନୂଆଦିଲ୍ଲୀ: କିଏ ଆଗାମୀ ୫ ବର୍ଷ ଧରି ଦିଲ୍ଲୀରେ ନିଜର ଆଧିପତ୍ୟ ବିସ୍ତାର କରିବ ଏନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି ଦେଶର ରାଜଧାନୀରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ପୂର୍ବରୁ ୨ଥର ବିଜୟ ଲାଭ କରିଥିବା ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡା ଟକ୍କର ପରିଲକ୍ଷିତ ହେଉଥିବା ବେଳେ ଆସନ୍ତାକଲି ଭାଗ୍ୟ ନିର୍ଧାରଣ କରିବେ ଜନତା ଜନାର୍ଦନ। ତେବେ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ପାଖାପାଖି ୪୨୦୦୦ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହ ସୁରକ୍ଷା ପାଇଁ ୨୦୦ରୁ ଅଧିକ ପ୍ଲାଟୁନ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଯାଇଛି।
ନିର୍ବାଚନ ଦିନରେ ସର୍ବନିମ୍ନ ୪୨୦୦୦ ପୋଲିସ ନିୟୋଜିତ ହେବା ସହିତ ସେଣ୍ଟ୍ରାଲ ଆର୍ମଡ଼ ଫୋର୍ସର ୧୫୦ କମ୍ପାନୀ, ଆର୍ମଡ଼ ଫୋର୍ସରୁ ୭୦ କମ୍ପାନୀ ଓ ବିଭିନ୍ନ ରାଜ୍ୟରୁ ପାଖାପାଖି ୧୦ କମ୍ପାନୀ ସୁରକ୍ଷା କର୍ମୀ ଦିଲ୍ଲୀରେ ସୁରକ୍ଷିତ ଓ ନିର୍ଦ୍ୱନ୍ଦରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ପାଇଁ ମୁତୟନ ହୋଇଛନ୍ତି।
ଦିଲ୍ଲୀର ୪୩ଟି ମୁଖ୍ୟ ଓ ୧୦୦ଟି କ୍ଷୁଦ୍ର ସୀମାନ୍ତ ନିକଟବର୍ତ୍ତୀ ପୋଷ୍ଟଗୁଡିକରେ ସୁରକ୍ଷା ନିମନ୍ତେ ଯାଞ୍ଚ, ତଦାରଖ ଓ ସମୟାନୁକ୍ରମିକ ଯାଞ୍ଚ ପାଇଁ ସୁରକ୍ଷା କର୍ମୀ ମାନେ ନିଯୁକ୍ତ ହୋଇଛନ୍ତି। ଏହା ସହିତ ପଡୋଶୀ ରାଜ୍ୟର ସୁରକ୍ଷାକର୍ମୀ ତଥା ପୋଲିସ ମାନଙ୍କ ସହିତ ମିଳିତ ଯାଞ୍ଚ ତଥା ସମ୍ବେଦନଶିଳ ଅଞ୍ଚଳରେ ବର୍ଦ୍ଧିତ ସୁରକ୍ଷା ପାଇଁ ଯୋଗ ଦେବେ। କେବଳ ଏତିକି ନୁହେଁ ଯାଞ୍ଚ ଓ ତଦାରଖ ପାଇଁ ସ୍ୱତନ୍ତ୍ର ଡ୍ରୋନର ବ୍ୟବସ୍ଥା କରାଯାଇଛି।
ନିର୍ବାଚନ ପୂର୍ବରୁ ବହୁଳ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରାଯାଇଛି। ପାଖାପାଖି ୭୮ କୋଟି ମୂଲ୍ୟର ୧୯୬କିଗ୍ରା ଡ୍ରଗ୍ସ ସହିତ ୧୦୦୮ ଲିଟର ମଦ ଜବତ କରାଯାଇଛି। ନିର୍ବାଚନ ସମୟରେ କୌଣସି ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।