ନୂଆଦିଲ୍ଲୀ: ଦିଲ୍ଲୀରେ କିଏ କ୍ଷମତାସୀନ ହେବ ? ଦେଶର ରାଜଧାନୀରେ କିଏ ରାଜ କରିବ ? ଏହି ପ୍ରଶ୍ନର ଉତ୍ତର ଆଉ ମାତ୍ର ୫ ଦିନ ପରେ ମିଳିବାକୁ ଯାଉଛି । ଫେବୃଆରୀ ୮ରେ ଜଣା ପଡିବ ୫ ବର୍ଷ ପର୍ଯ୍ୟନ୍ତ ଜନତା କାହାକୁ କ୍ଷମତାର ଚାବି କାଠି ଦେବେ । କ୍ଷମତାସୀନ ଆମ୍ ଆଦମୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି । କଂଗ୍ରେସ ମଧ୍ୟ ନିଜର ସବୁ ଶକ୍ତି ଖଟାଇ ଦିଲ୍ଲୀ ମଇଦାନକୁ ତ୍ରିକୋଣୀୟ ଲଢେଇରେ ପରିଣତ କରିଛି । ଏହା ମଧ୍ୟରେ ସି ଭୋଟର ନିଜର ଟ୍ରାକରଙ୍କ ଜରିଆରେ ଦିଲ୍ଲୀ ଜନତାଙ୍କ ମୁଡ୍ ଜାଣିବାକୁ ଉଦ୍ୟମ କରିଛି ।
ସି ଭୋଟର ଦିଲ୍ଲୀବାସୀଙ୍କୁ ପଚାରଛି ଯେ, କଣ ସରକାର ବଦଳାଇବାକୁ ଚାହାନ୍ତି ? ଫେବୃଆରୀ ୧ ପର୍ଯ୍ୟନ୍ତ ଟ୍ରାକରଙ୍କ ହିସାବ ଅନୁସାରେ ୪୩.୯ ପ୍ରତିଶତ ଲୋକଙ୍କ କହିବା କଥା ବର୍ତ୍ତମାନ ସରକାରଙ୍କ କାର୍ଯ୍ୟଶୈଳୀରେ ସେମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏଥର ସରକାର ବଦଳାଇବାକୁ ଚାହାନ୍ତି । ଅନ୍ୟପଟେ ୧୦.୯ ପ୍ରତିଶତ ଲୋକଙ୍କ କହିବା କଥା ସେମାନେ ଅସନ୍ତୁଷ୍ଟ ତ ଅଛନ୍ତି କିନ୍ତୁ ସରକାର ବଦଳାଇବାକୁ ଚାହୁଁ ନାହାନ୍ତି । ସେହିପରି ୩୮.୩ ପ୍ରତିଶତ ଲୋକଙ୍କ ମୁତାବକ ସେମାନେ ଆପ୍ ସରକାର ପ୍ରତି ଅସନ୍ତୁଷ୍ଟ ନାହାନ୍ତି ଏବଂ ଏଥିପାଇଁ ପରିବର୍ତ୍ତନ ଚାହୁଁ ନାହାନ୍ତି । ପରିବର୍ତ୍ତନ ଚାହୁଁଥିବା ଏବଂ ନ ଚାହୁଁଥିବା ଲୋକଙ୍କ ମଧ୍ୟରେ ବିଶେଷ ବ୍ୟବଧାନ ବି ନାହିଁ ।
ଆମ୍ ଆଦମୀ ପାର୍ଟି ପାଇଁ ଚିନ୍ତାର ବିଷୟ ଏହା ହୋଇପାରେ ଯେ ସି ଭୋଟରର ବର୍ତ୍ତମାନର ଟ୍ରାକର ହିସାବରେ ୩୮.୩ ପ୍ରତିଶତ ଲୋକ ଆପ୍ ସରକାରଙ୍କ କାମରେ ସନ୍ତୁଷ୍ଟ ନାହାନ୍ତି । ବିଜେପି ଓ କଂଗ୍ରେସ ଚେଷ୍ଟା ଚଳାଇଛନ୍ତି ଯେ, କେମିତି ଏହି ଅସନ୍ତୁଷ୍ଟ ଜନତାଙ୍କୁ ନିଜ ସପକ୍ଷରେ ଟାଣିବେ ।
ଏହା ପୂର୍ବରୁ ଜାନୁଆରୀ ୬ରେ ସି ଭୋଟରର ସର୍ଭେରୁ ଏହା ପ୍ରକାଶ ପାଇଥିଲା ଯେ, ୪୬.୨ ପ୍ରତିଶତ ଜନତା ବର୍ତ୍ତମାନ ସରକାର ପ୍ରତି ଅସନ୍ତୁଷ୍ଟ ଅଛନ୍ତି ଏବଂ ପରିବର୍ତ୍ତନ ଚାହାନ୍ତି । ୨.୭ ପ୍ରତିଶତ ଲୋକଙ୍କ କହିବା କଥା ସେମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଆପକୁ ଆଉ ଏକ ସୁଯୋଗ ଦେବାକୁ ଚାହାନ୍ତି । ଅନ୍ୟପଟେ ୪୬.୯ ପ୍ରତିଶତ ଲୋକଙ୍କ ଅନୁସାରେ ସେମାନେ ଅସନ୍ତୁଷ୍ଟ ନାହାନ୍ତି ଏବଂ ପରିବର୍ତ୍ତନ ଚାହାନ୍ତି ନାହିଁ । ସି ଭୋଟରର ଗତ ଦୁଇଟି ସର୍ଭେ ଦେଖିଲେ ସ୍ପଷ୍ଟ ଲାଗୁଛି ଯେ, ଏଥର ଦିଲ୍ଲୀରେ କଡା ମୁକାବିଲା ହେବାକୁ ଯାଉଛି ।