ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନୀ ପାଇଁ ସରିଛି ପ୍ରଚାର । ଶେଷ ଦିନରେ ସମସ୍ତ ଦଳରେ ହେଭିୱେଟ୍ ନେତା ସମର୍ଥିତ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର । ବିଜେପି ପକ୍ଷରୁ ଷ୍ଟାର୍ ପ୍ରଚାରକ ଅମିତ ଶାହା, ପୁଷ୍କର ସିଂ ଧାମୀ ପ୍ରମୁଖ ମଇଦାନକୁ ଓହ୍ଲାଇ ଥିଲେ । ଅନ୍ୟପକ୍ଷରେ ଆପ୍ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା କରିଛନ୍ତି ପ୍ରଚାର । ନିର୍ବାଚନୀ ଶୋଭାଯାତ୍ରାରେ କମ୍ପିଥିଲା ଜାତୀୟ ରାଜଧାନୀ ରାଜପଥ ।
ଆପ୍ ଦଳ ଯମୁନା ପାଣିକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଁଚି ଥିବା ବେଳେ ବିଜେପି ଆପର ଦୁର୍ନୀତିର ଭଣ୍ଡାର ଖୋଲିଥିଲା । ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ସହିତ ଉନ୍ନତିକରଣ କାର୍ଯ୍ୟକୁ ନେଇ କାଉଣ୍ଟର ଆଟାକ୍ କରିଛି ବିଜେପି । ସେପଟେ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରିଛନ୍ତି ।
ଚଳିତ ନିର୍ବାଚନରେ ୬୯୯ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଆସନ୍ତା ୫ ତାରିଖରେ ୭୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ମତଦାନ ହେବ । ମୋଟ ୧ କୋଟି ୫୫ ଲକ୍ଷ ଭୋଟର ସରକାର ବାଛିବେ । ଏଥିରେ ୮୩ଲକ୍ଷରୁ ଅଧିକ ପୁରୁଷ ଭୋଟର ଅଛନ୍ତି । ଆସନ୍ତା 8 ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ ।
ନିର୍ବାଚନ ପ୍ରକ୍ରିୟା ପାଇଁ ୧ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହେବେ । ସେହିପରି ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ସରୁକ୍ଷା ବ୍ୟବସ୍ଥାରେ ନିଯୋଜିତ ହେବେ ।