ନ୍ୟୂଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ, ପ୍ରାର୍ଥୀଙ୍କ ହେବାକୁ ଯାଉଛି ଭାଗ୍ୟ ପରୀକ୍ଷା। ଏହି ସମୟରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ଦିଳ୍ଲୀସ୍ଥିତ ତାଲକଟୋରା ଷ୍ଟାଡିୟମର ନାମ ପରିବର୍ତ୍ତନ ପାଇଁ ଘୋଷଣା କରିଛନ୍ତି। ଫେବୃଆରୀ 8 ତାରିଖରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିବାକୁ ଯାଉଛି ବୋଲି କହିଛନ୍ତି ପ୍ରବେଶ ବର୍ମା । ଏହାପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ପ୍ରଥମ ବୈଠକରେ ତାଲକଟୋରା ଷ୍ଟାଡିୟମର ନାମ ପରିବର୍ତନ କରାଯାଇ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯିବ ।
ପ୍ରବେଶ ଶର୍ମାଙ୍କ ଅନୁଯାୟୀ ଦିଲ୍ଲୀରେ ତାଲକଟୋରା ନାମକ ଏକ ବଡ ଷ୍ଟାଡିୟମ ରହିଛି। ଯାହାକି ମୋଗଲ ଅମଳରୁ ରହି ଆସିଛି। ତେବେ ଫେବୃଆରୀ 8 ତାରିଖରେ ଦିଲ୍ଲୀରେ ବହୁଳ ମତରେ ପଦ୍ମ ଫୁଲର ବିଜୟ ହେବା ସହିତ ଏନ୍ଡ଼ଏମ୍ସି କାଉନ୍ସିଲର ପ୍ରଥମ ବୈଠକରେ ତାଲକଟୋରା ଷ୍ଟାଡିୟମର ନାମ ପରିବର୍ତନ କରାଯାଇ ମହର୍ଷି ବାଲ୍ମୀକିଙ୍କ ନାମରେ ନାମିତ କରାଯିବ।
ପ୍ରବେଶ ବର୍ମାଙ୍କ ଏହି ଘୋଷଣା ସମୟରେ ଏନଡିଏମସିର କୌନସିଲ ମେମ୍ବର ଅନିଲ ବାଲ୍ମୀକି ଉପସ୍ଥିତ ଥିଲେ । ବାଲ୍ମୀକି ସମାଜ ଏକ ପଛୁଆ ତଥା ଅନୁସୂଚିତ ଜାତିଙ୍କ ସମାଜ। ଯେଉଁ ସମୟ ପର୍ଯ୍ୟନ୍ତ ଅନୁସୂଚିତ ଜାତିଙ୍କ ବିକାଶ ନହେବ ସେ ପର୍ଯ୍ୟନ୍ତ ଦେଶ ଆଗକୁ ବଢ଼ିପାରିବ ନାହିଁ ବୋଲି ପ୍ରକାଶ କରିଥିଲେ।
ଅରବିନ୍ଦ କେଜ୍ରିୱାଲଙ୍କ ମତକୁ ନେଇ ପ୍ରବେଶ କହିଛନ୍ତି, " ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ନିର୍ବାଚନ ହାରୁଛନ୍ତି। ଦିଲ୍ଲୀରେ ପଦ୍ମ ଫୁଲର ସରକାର ଗଠନ ହେବାକୁ ଯାଉଛି । କେଜ୍ରିୱାଲ ବାଲ୍ମୀକି ସମାଜକୁ ଗୁଣ୍ଡ ଭାବେ ଅଭିହିତ କରୁଛନ୍ତି। ସେହି ବାଲ୍ମୀକି ସମାଜକୁ ବଦ୍ନାମ କରୁଛନ୍ତି ଯିଏ ଦିନେ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଇଥିଲେ । ଅରବିନ୍ଦ କେଜ୍ରିୱାଲ ଆଜି ସେହି ବାଲ୍ମୀକି ସମାଜକୁ ଗୁଣ୍ଡା ଓ କ୍ରିମିନାଲ ଭାବେ ଅଭିହିତ କରୁଛନ୍ତି। ସେଥିପାଇଁ ବାଲ୍ମୀକି ସମାଜ ତାଙ୍କୁ ବହିଷ୍କାର କରିଛନ୍ତି ।"
ଦିଲ୍ଲୀରେ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରବେଶ ବର୍ମା ମୈଦାନରେ ଓଲ୍ହାଉଥିବା ବେଳେ ଏହି ସ୍ଥାନରୁ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଓ କଂଗ୍ରେସ ପକ୍ଷରୁ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁତ୍ର ସଞ୍ଜୟ ଦୀକ୍ଷିତ ନିର୍ବାଚନ ଲଢ଼ୁଛନ୍ତି।