ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବାକୁ ପ୍ରସ୍ତୁତ ହୋଇ ରହିଛି ୧୦୦ଟି ଠେଙ୍ଗା । ଭୁବନେଶ୍ୱର ମଧ୍ୟ ବିଧାୟକ ବାବୁ ସିଂଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଦଳ ସୋମବାର ବାରଭୁଜାଙ୍କ ପାଖରେ ଠେଙ୍ଗା ପୂଜା କରିଛନ୍ତି ।
ବିଧାୟକ ବାବୁ ସିଂ କହିଛନ୍ତି ଯେ ଯଦି କୌଣସି ବିଶୃଙ୍ଖଳା ଦେଖାଯାଏ ଏହି ଶହେ ଠେଙ୍ଗା କାମରେ ଲାଗିବ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଦ୍ଵି ଅର୍ଥ ବୋଧକ କମେଡ଼ିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ । ଯେଉଁମାନେ ଅଶ୍ଲୀଳତା ପ୍ରଦର୍ଶନ ପାଇଁ ଚେଷ୍ଟା କରିବେ ସେମାନଙ୍କୁ ସଠିକ ଉତ୍ତର ଦିଆଯିବ । କିଛି ମହିଳା ଅଶ୍ଳୀଳତା ପ୍ରଦର୍ଶନକୁ ନେଇ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି । ସେମାନଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ବିଧାୟକ । ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରନ୍ତି ସଠିକ ଉତ୍ତର ପାଇବେ । ଏଥିପାଇଁ ଆଜି ମା ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା ହୋଇଛି । କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବକ ଯୁବତୀଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଧାୟକ ।
ଅନ୍ୟପକ୍ଷରେ ଫେବୃଆରୀ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଚାଲିବ । ଫେବୃଆରୀ ୬ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରିରେ ଚାଲିବ ଯାତ୍ରା । ୭ ଟି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୧୩ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ । ତେବେ ଆଜି ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସଂପୂର୍ଣ୍ଣ ବନ୍ଦ ପାଇଁ ବିଏମଏସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସମସ୍ତ ଯାତ୍ରାମାଲିକଙ୍କୁ ବିଏମସି କମିଶନର ଚେତାବନୀ ଦେଇଛନ୍ତି । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିଶର ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ଐତିହ୍ୟ ପରମ୍ପରା ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟିକୁ ଏ ବିଷୟରେ ଅବଗତ କରାଇ ଦିଆଯାଇଛି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ ।