ନୂଆଦିଲ୍ଲୀ: ଚଳିତ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆୟକରରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ବଡ଼ ରିହାତି ଦେଇଛନ୍ତି । ବର୍ଷକୁ ୧୨ ଲକ୍ଷ ଆୟ କରୁ୍ଥିବା ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡ଼ିବନି ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ତେବେ ଏହା ପଛରେ ସରକାରଙ୍କ ଏକ ମହତ୍ୱ ଉଦ୍ଦେଶ୍ୟ ରହିଥିବା କହିଛନ୍ତି ନିର୍ମଳା ।
ସରକାର ଚାହୁଛନ୍ତି ଲୋକଙ୍କ ଯେଉଁ ସଞ୍ଚୟ ହେବ ତାହା ଉପଯୋଗିତା, ସଞ୍ଚୟ କିମ୍ବା ନିବେଶ ଜରିଆରେ ଅର୍ଥନୀତିରେ ଯୋଡ଼ିହେଉ ବୋଲି ସେ କହିଛନ୍ତି। ବଜେଟରେ ଏଭଳି ଘୋଷଣା ଦ୍ୱାରା ଲୋକଙ୍କ ହାତକୁ ଅର୍ଥ ଆସିବ, ସେମାନେ ଏହାକୁ ଖର୍ଚ୍ଚ କରିବେ । ଚାହିଦା ବଢିଲେ ଏହା ଅର୍ଥନୀତି ଲାଗି ଲାଭକାରୀ ହେବ ବୋଲି ଆଶା ରଖିଛନ୍ତି ସରକାର । ୧୨ ଲକ୍ଷ ଟଙ୍କାର ଆୟ ଉପରେ ଟିକସ ଲାଗିବ ନାହିଁ ।ଏଥି ଅର୍ଥକୁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ଘର ଋଣ, ଇଏମଆଇ ଭଳି ସେମାନଙ୍କ ଅନ୍ୟ ଆବଶ୍ୟକୀୟ କ୍ଷେତ୍ରରେ ଖର୍ଚ୍ଚ କରିବେ । ଲୋକଙ୍କ ଅର୍ଥ ବଢିଲେ ଏହା ଅର୍ଥନୀତି ଲାଗି ଲାଭଦାୟକ ହେବ ।
ଅଧିକ ପଢନ୍ତୁ: କେନ୍ଦ୍ର ବଜେଟରେ ପଡୋଶୀ ଦେଶକୁ ଗୁରୁତ୍ୱ; ବୈଦେଶିକ ମନ୍ତ୍ରଣାଳୟକୁ ୨୦, ୫୧୬ କୋଟିର ସହାୟତା ଘୋଷଣା; ଆର୍ଥିକ ସହାୟତା ଗ୍ରହଣ କରୁଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି ଭୁଟାନ
ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ଭାବୁଛନ୍ତି ଯେଉଁମାନଙ୍କ ମାସିକ ଆୟ ୧ ଲକ୍ଷ ଟଙ୍କା, ସେମାନେ ଟିକସ୍ ନ ଦିଅନ୍ତୁ । ଦୁଇଟି ଉପାୟରେ ଆମେ ଏହାକୁ ହାସଲ କରିବାକୁ ଉଦ୍ୟମ କରିଛୁ । ପ୍ରଥମେ ଟିକସ୍ ସ୍ଲାବ୍ ଦରକୁ ହ୍ରାସ କରି ତାହାକୁ ପର୍ଯ୍ୟାୟକ୍ରମେ ପ୍ରଗତିିଶୀଳ ଢାଞ୍ଚାରେ ପରିଣତ କରାଯାଉଛି, ଏବଂ ଦ୍ୱିତୀୟରେ ବିଭିନ୍ନ ଆୟବର୍ଗ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ଟିକସ୍ ସ୍ଲାବର ସମ୍ପ୍ରସାରଣ କରାଯାଇଛି ।