ନୂଆଦିଲ୍ଲୀ: ଚଳିତ ବଜେଟରେ ପଡ଼ୋଶୀ ଦେଶଗୁଡ଼ିକୁ ବି ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟକୁ କେନ୍ଦ୍ର ସରକାର ୨୦,୫୧୬ କୋଟି ଟଙ୍କା ବଜେଟ୍ ଆବଣ୍ଟନ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ବୈଦେଶିକ ସହାୟତା ପାଇଁ କମ୍ ଆବଣ୍ଟନ ହୋଇଛି । ଅନ୍ୟ ଦେଶକୁ ସହାୟତା ପାଇଁ ୫,୪୮୩ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଗତ ବର୍ଷ ଏହି ପରିମାଣ ୫,୮୦୬ କୋଟି ଟଙ୍କା ଥିଲା।
- ମାଲଦ୍ୱୀପକୁ ଆର୍ଥିକ ସହାୟତା ବୃଦ୍ଧି
- ନେପାଳ ପାଇଁ ୭୦୦ କୋଟି
- ଆଫଗାନିସ୍ତାନକୁ ସହାୟତା ଦ୍ୱିଗୁଣିତ
ନଜର ପକାନ୍ତୁ କେଉଁ କେଉଁ ଦେଶ ପାଇଁ ମିଳିଛି ଆର୍ଥିକ ସହାୟତା
ଆଫଗାନିସ୍ତାନକୁ ସହାୟତା ଦ୍ୱିଗୁଣିତ
ଆଫଗାନିସ୍ତାନକୁ ସହାୟତା କେନ୍ଦ୍ର ଦ୍ୱିଗୁଣିତ କରିଛି। ଗତ ବର୍ଷ ଆଫଗାନିସ୍ତାନକୁ ୫୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଏଥର ଏହି ପରିମାଣକୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ନିକଟରେ ଭାରତ ସରକାର ଆଫଗାନିସ୍ତାନର ତାଲିବାନ ସରକାରଙ୍କ ସହ ସମ୍ପର୍କ ବୃଦ୍ଧି କରିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ମଧ୍ୟ ତାଲିବାନ ନେତାଙ୍କୁ ଭେଟିଛନ୍ତି। ସେହିପରି ଇରାନର ଚାବାହାର ବନ୍ଦର ପାଇଁ ୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ମାଲଦ୍ୱୀପର ଆର୍ଥିକ ସହାୟତା ବୃଦ୍ଧି
ମାଲଦ୍ୱୀପକୁ ଆର୍ଥିକ ସହାୟତା ବୃଦ୍ଧି କରାଯାଇଛି। ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆଭିମୁଖ୍ୟ କିଛି ଦିନରୁ ଭାରତ ଆଡକୁ ବଦଳିଛି। ମୁଇଜୁ ମଧ୍ୟ ଭାରତ ଗସ୍ତ କରିଛନ୍ତି। ୨୦୨୫-୨୬ ବଜେଟରେ ମାଲଦ୍ୱୀପ ପାଇଁ ୬୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ମିଆଁମାରକୁ ବଡ଼ ଝଟକା
ମିଆଁମାରରେ ଏବେ ଗୃହଯୁଦ୍ଧ ଚାଲିଛି । ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ଭାରତ ସରକାର ମିଆଁମାରକୁ ଦିଆଯାଇଥିବା ଅର୍ଥକୁ ବଜେଟରେ ହ୍ରାସ କରିଛନ୍ତି। ଏଥର ବଜେଟରେ ମିଆଁମାର ପାଇଁ ୩୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଗତ ବର୍ଷ ଏହି ପରିମାଣ ୪୦୦ କୋଟି ଟଙ୍କା ଥିଲା।
ଅଧିକ ପଢନ୍ତ: ବଜେଟ୍ ୨୦୨୫-୨୬ରେ ଡେଲିଭରୀ ବୟ ଓ କ୍ୟାବ ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା; ୧ କୋଟି ଲୋକେ ହେବେ ଉପକୃତ, ମିଳିବ ଏହି ସବୁ ସୁବିଧା
କେନ୍ଦ୍ର ସରକାର ଗତ ବର୍ଷ ଭୁଟାନକୁ ୨୫୪୩ କୋଟି ଟଙ୍କା ଆବଣ୍ଟନ କରିଥିଲେ। କିନ୍ତୁ ଏଥର ୩୯୩ କୋଟି ଟଙ୍କା ହ୍ରାସ କରାଯାଇଛି। ବଜେଟରେ ଭୁଟାନକୁ ୨୧୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ତେବେ ଭାରତରୁ ବିଦେଶୀ ସହାୟତା ଗ୍ରହଣ କରୁଥିବା ଦେଶ ତାଲିକାରେ ଭୁଟାନ ଶୀର୍ଷରେ ରହିଛି।
ସେହିପରି କେନ୍ଦ୍ର ୨୦୨୫-୨୬ ବଜେଟରେ ଶ୍ରୀଲଙ୍କା ପାଇଁ ୩୦୦ କୋଟି ଟଙ୍କା ଏବଂ ବଜେଟରେ ନେପାଳ ପାଇଁ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବାଂଲାଦେଶକୁ ୧୨୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ଆଫ୍ରିକୀୟ ଦେଶମାନଙ୍କୁ ୨୨୫ କୋଟି ଟଙ୍କା ଏବଂ ଲାଟିନ୍ ଆମେରିକୀୟ ଦେଶମାନଙ୍କୁ ୬୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।