କଟକ: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ଫେରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଛାତ୍ର ନିର୍ବାଚନ ବେଳେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଡ଼ା ନଜର ରଖାଯିବ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି ।
ଡିଜିପି କହିଛନ୍ତି ଯେ ଆଠ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀମାନେ ଉତ୍ସାହିତ ଅଛନ୍ତି । ସମସ୍ତେ ଭାଇଚାରାର ଭାବନା ସହିତ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି । ବହୁତ ଛୋଟ ପିଲା ଅଛନ୍ତି, ସେମାନେ ପ୍ରରୋଚନାରେ ଆସି ଯାଆନ୍ତି । ସେମାନଙ୍କୁ ଅପରାଧୀ ଭାବରେ ନ ଦେଖି, ସେମାନଙ୍କୁ ବୁଝାସୁଝା କରାଯିବ । କିନ୍ତୁ ଅଣଛାତ୍ରଙ୍କ ଉପରେ କଡ଼ା ନଜର ରଖାଯିବ । ଏଥିପାଇଁ ସମସ୍ତ ଜିଲ୍ଲା ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ବାହାର ଲୋକେ ପ୍ରବେଶ ନ କରିବେ ତେବେ ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ହେବ ବୋଲି ଡିଜିପି କହିଛନ୍ତି ।