ଭୁବନେଶ୍ୱର: ଫେବୃଆରୀ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିବେ ଷୋଡଶ ଅର୍ଥ କମିଶନ । ରାଜ୍ୟରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଠନ ହୋଇଛି । ଏପରିସ୍ଥଳେ ଅର୍ଥ କମିଶନଙ୍କ ଆଗମନରେ ରାଜ୍ୟର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଳିବ ବୋଲି ଆଶା କରାଯାଉଛି । ଗସ୍ତ ସମୟରେ କମିଶନଙ୍କ ଆଗରେ ରାଜ୍ୟ ସରକାର କଣ ଦାବି ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ଷୋଡଶ ଅର୍ଥ କମିଶନଙ୍କ ସମ୍ମୁଖରେ ରାଜ୍ୟ ସରକାର ୨ ଲକ୍ଷ ୫୬ ହାରଜ ୧୪୮ କୋଟି ଟଙ୍କା ଦାବି ରଖିବେ । ଏହି ଦାବିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳି ସାରିଛି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଦାବି କରିବାକୁ ପ୍ରସ୍ତୁତି ହୋଇଛନ୍ତି । ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଓଡିଶାକୁ ସ୍ୱତନ୍ତ୍ର ଅନୁଦାନ ପାଇଁ ଦାବି ହୋଇ ଆସୁଥିଲା । ହେଲେ କେନ୍ଦ୍ର ସରକାର ଦାବିକୁ ଅଣଦେଖା କରି ଆସୁଥିଲେ । କିନ୍ତୁ ଏଥର ଅର୍ଥ ଆୟୋଗଙ୍କଠୁ ଓଡିଶା ଅଧିକ ଆଶା ରଖିଛି ।
ଅର୍ଥ କମିସନ କେନ୍ଦ୍ର-ରାଜ୍ୟ ମଧ୍ୟରେ ଭାଗବଣ୍ଟା ଅନୁପାତ ସ୍ଥିର କରିଥାନ୍ତି। ରାଜ୍ୟକୁ କେତେ ଗ୍ରାଣ୍ଟ ଇନ୍ ଏଡ୍ ମିଳିବ ନିଷ୍ପତ୍ତି ନେଇଥାନ୍ତି। ପ୍ରାକୃତିକ ବିପର୍ୟ୍ୟୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ ରାଜ୍ୟକୁ ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ଅନୁଦାନ ଦେବା ନେଇ ସୁପାରିଶ୍ କହିଥାନ୍ତି। ରାଜ୍ୟର ଦାବି ଅନୁଧ୍ୟାନ କରି ଅନୁଦାନ ପ୍ରଦାନ କରିବାରେ ଅର୍ଥ କମିସନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।
୨୦୨୧-୨୬ ବର୍ଷ ଲାଗି ତତ୍କାଳୀନ ରାଜ୍ୟ ସରକାର ଅର୍ଥ କମିସନ ଆଗରେ ୮ ଲକ୍ଷ ୨୪ ହଜାର କୋଟି ଟଙ୍କାର ଦାବି ରଖିଥିବାବେଳେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କାର ଅନୁଦାନ ମିଳିଥିଲା । ଏପରିସ୍ଥଳେ ଅର୍ଥ କମିସନଙ୍କ ଗୁରୁତ୍ୱ କ’ଣ ବୋଲି ବିରୋଧି ପ୍ରଶ୍ନ କରିଛନ୍ତି।