ଜୁଲାଇ ମାସରେ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ। ଏଥିପାଇଁ ଏସିଆନ କ୍ରିକେଟ କାଉନସିଲ(ACC) ତରଫରୁ ମ୍ୟାଚ୍ ସୂଚୀ ଜାରି କରିଛି। ଶ୍ରୀଲଙ୍କାର ଡମ୍ବୁଲାରେ ଖେଳାଯିବାକୁ ଥିବା ଏହି ଏସିଆ କପରେ ପ୍ରଥମଥର ପାଇଁ ୮ଟି ଟିମ ଭାଗ ନେବେ। ପ୍ରକାଶ ପାଇଥିବା ସୂଚୀ ଅନୁସାରେ ଜୁଲାଇ ୧୯ରୁ ୨୮ ଯାଏ ଟି-୨୦ ବିଶ୍ୱକପ ଫର୍ମାଟରେ ଏସିଆ କପ ଅନୁଷ୍ଠିତ ହେବ।
ପ୍ରକାଶିତ ରିପୋର୍ଟ ଅନୁସାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ 'ଗ୍ରୁପ ଏ' ରେ ରହିଥିବା ବେଳେ ଭାରତ ସମେତ ଏହି ଗ୍ରୁପରେ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି। ସେହିପରି 'ଗ୍ରୁପ ବି’ରେ ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଅଛନ୍ତି।
ଉଲ୍ଲେଖନୀୟ ଯେ, ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ଏସିଆ କପରେ ୭ଟି ଟିମ ଭାଗ ନେଇଥିବା ବେଳେ ୭ଥର ଏସିଆ କପ ଜିତିଥିବା ଭାରତ ଚଳିତ ବର୍ଷ ନିଜର 'ଏସିଆ କପ' ଅଭିଯାନ ଜୁଲାଇ ୧୯ରୁ ଆରମ୍ଭ କରିବ। UAE ବିପକ୍ଷରୁ ଭାରତ ତାର ପ୍ରଥମ ମ୍ୟାଚ ଆରମ୍ଭ କରିବାକୁ ଥିବା ବେଳେ ଏହାପରେ ଦଳ ଜୁଲାଇ ୨୧ରେ ପାକିସ୍ତାନ ସହ ମୁକାବିଲା କରିବା। ସେହିପରି ଶେଷ ଲିଗ ମ୍ୟାଚରେ ଭାରତର ମୁକାବିଲା ନେପାଳ ସହ ହେବ। ସମସ୍ତ ଲିଗ ମ୍ୟାଚ୍ ପରେ ପ୍ରତି ଗ୍ରୁପର ଶୀର୍ଷ ୨ଟି ଲେଖାଏ ଦଳ ସେମିଫାଇନାଲକୁ ଯିବେ ଏବଂ ଜୁଲାଇ ୨୬ରେ ଦୁଇଟି ଯାକ ସେମି ଫାଇନାଲ ଓ ଜୁଲାଇ ୨୮ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ତାଲିକା ପ୍ରକାଶ ପାଇଛି।
ଅଧିକ ପଢନ୍ତୁ: ନିର୍ବାଚନ ପାଇଁ ଲାଞ୍ଜିଗଡ଼ ପୁଲିସର ଫ୍ଲାଗମାର୍ଚ୍ଚ