୨୬/୧୧ ମୁମ୍ବାଇ ଆକ୍ରମଣ ପଛରେ ଥିବା ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଇବାର ବରିଷ୍ଠ କମାଣ୍ଡର ଆଜମ ଚୀମାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହୃଦଘାତ ଯୋଗୁ ଚୀମାର ମୃତ୍ୟୁ ହୋଇଥିବା ସୂଚନା ସାମ୍ନାକୁ ଆସିଥିବା ବେଳେ ପାକିସ୍ତାନସ୍ଥିତ ଫୈସଲାବାଦ ସହରରେ ମୃତ୍ୟୁ ବରଣ କରିଥିବା ଗୁଇନ୍ଦା ସୂତ୍ରରୁ ନିଶ୍ଚିତ ହୋଇଛି। ଫୈସଲାବାଦରେ ଥିବା ମଲଖାନୱାଲାରେ ଆଜମ ଚୀମାର ଅନ୍ତିମ ସଂସ୍କାର ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୦୬ ମସିହା ଜୁଲାଇ ୧୧ରେ ମୁମ୍ବାଇରେ ଘଟିଥିବା ଏକ ଟ୍ରେନ ବୋମା ବିସ୍ଫୋରଣ ଦାୟୀ ଥିଲା ଆଜମ। ଏହି ଭୟାନକ ବିସ୍ଫୋରଣରେ ସମୁଦାୟ ୧୮୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଦୁର୍ଘଟଣା ଦିନ ଉକ୍ତ ଟ୍ରେନର ସାତୋଟି ବଗିରେ ସନ୍ଧ୍ୟା ସମୟରେ ୬.୨୪ରୁ ୬.୩୫ ପର୍ଯ୍ୟନ୍ତ ଗୋଟେ ପରେ ଗୋଟେ ବୋମା ବିସ୍ଫୋରଣ ହୋଇଥିଲା। ତେବେ ଏହି ଆକ୍ରମଣରେ ପୋଲିସ ୩୦ଜଣ ଅଭିଯୁକ୍ତଙ୍କୁ କରିଥିଲା ବେଳେ ୧୩ଜଣ ପାକିସ୍ତାନୀ ନାଗରିକ ଚିହ୍ନଟ ହୋଇଥିଲେ।
ପୁଣିଥରେ ୨୦୦୮ ମସିହା ନଭେମ୍ବର ୨୬ରେ ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ମାର୍ଗ ଦେଇ ଦକ୍ଷିଣ ମୁମ୍ବାଇ ଅଞ୍ଚଳରେ ପ୍ରବେଶ କରି ମୁମ୍ବାଇସ୍ଥିତ ତାଜମପ୍ୟାଲେସ ହୋଟେଲ ସମେତ ଅନେକ ସ୍ଥାନ ଉପରେ ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୧୮ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୬୬ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ସାମିଲ ଥିବା ସମସ୍ତ ଆକ୍ରମଣକାରୀଙ୍କୁ ଆଜମ ଚୀମା ପ୍ରଶିକ୍ଷଣ ଦେଇଥିଲା।
ଅଧିକ ପଢନ୍ତୁ: 'ପ୍ରୋଜେକ୍ଟ ଓଡିସର୍ଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ