ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ “ପ୍ରୋଜେକ୍ଟ ଓଡିସର୍ଭ”ର ଶୁଭାରମ୍ଭ କରିଛନ୍ତିl ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବ୍ୟାଙ୍କିଂ, ଫାଇନାନ୍ସ ଏବଂ ଇନ୍ସୁରାନ୍ସ କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଟ୍ରେନିଂ ନେଇ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ବଜାଜ ଫିନସର୍ଭର CMD ସଞ୍ଜୀବ ବଜାଜ୍ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ଅଧୀନସ୍ଥ NSDC ଓ ବଜାଜ ଫିନସର୍ଭର ମିଳିତ ବୁଝାମଣାରେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଅଧିକ ଦକ୍ଷ ଓ ରୋଜଗାରକ୍ଷମ କରାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ଏହା କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ଏହା ଆରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ସହାୟକ ହେଉଛି। ରୋଜଗାରକ୍ଷମ କରିବା ପାଇଁ କେବଳ ଡିଗ୍ରୀ ପର୍ଯ୍ୟାପ୍ତ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟ ଓ ଦକ୍ଷତା ବଢାଇବା ପାଇଁ ପଡିବ । ତେଣୁ ଡିଗ୍ରୀ ଯେତିକି ଗୁରୁତ୍ୱପୂର୍ଣ୍ଣ, ଦକ୍ଷତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସମାଜର ନୂଆପିଢି ବିଶେଷତଃ ଗ୍ରାଜୁଏସନ କରୁଥିବା ସାଧାରଣ ଘରର ପିଲାମାନଙ୍କ ଦକ୍ଷତା ବଢିବା ଦରକାର । ସେହି ପରିପ୍ରେକ୍ଷୀରେ ବ୍ୟାଙ୍କିଂ, ଆର୍ଥିକ ସେବା ଏବଂ ବୀମାକ୍ଷେତ୍ରରେ ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ଦେଶର ଅଗ୍ରଣୀ ଫାଇନାନ୍ସ କମ୍ପାନୀ ବଜାଜ୍ ଫିନସର୍ଭ ଓ ଏନଏସଡିସି ମଧ୍ୟରେ ବୁଝାମଣା ହେବା ଖୁସିର ବିଷୟ। ''
ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ NSDC ଅଧୀନରେ ବ୍ୟାଙ୍କିଂ, ଫାଇନାନ୍ସ, ବୀମା କ୍ଷେତ୍ରରେ ରୋଜଗାରକ୍ଷମ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ୧୦୦ ଦିନିଆ ପ୍ରଶିକ୍ଷଣ ଦିଆଯିବା ଉପରେ ଆଲୋକପାତ କରିଥିଲେ ଶ୍ରୀ ପ୍ରଧାନ। ଓଡ଼ିଶାରେ ମୋଟ ୬୦ଟି କଲେଜରେ ଏହି ପ୍ରଶିକ୍ଷଣ ଆରମ୍ଭ କରାଯିବାର ଯୋଜନା ଥିବା ବେଳେ ସମ୍ବଲପୁରରେ ପ୍ରାୟ ୧୭ଟି କଲେଜରେ ଏଭଳି ପ୍ରଶିକ୍ଷଣ ଆରମ୍ଭ ହେଉଛି । ବର୍ତ୍ତମାନ ସୁଦ୍ଧା ୧୧୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଏହି ପ୍ରଶିକ୍ଷଣରେ ନାମ ଲେଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଜଣ ନିଯୁକ୍ତି ପତ୍ର ପାଇଛନ୍ତି । 'ପ୍ରୋଜେକ୍ଟ ଓଡିସର୍ଭ' ଯୁବବର୍ଗଙ୍କୁ ସଶକ୍ତ କରି ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବା ସହ ଆକାଂକ୍ଷା ପୂରଣ କରିବା ନେଇ ମତବ୍ୟକ୍ତ କରିଥିଲେ ଶ୍ରୀ ପ୍ରଧାନ।
NSDC ମାଧ୍ୟମରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଫାଇନାନ୍ସ ସେକ୍ଟରରେ ସୁଯୋଗ ଦେବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ବଜାଜ୍ ଫିନସର୍ଭ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ପିଲାମାନେ ପ୍ରଶିକ୍ଷଣ ନେବା ପରେ ସେମାନଙ୍କ ନିଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତି କରିବାରେ ସହାୟକ ହେବ। ଏହି ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅଭିବୃଦ୍ଧିରେ ସହାୟକ ହେବ। ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ସ୍କିଲ ଇଣ୍ଡିଆ ଡିଜିଟାଲ ସହ ଯୋଡି ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ଅଧିକ ପଢନ୍ତୁ: ସମ୍ବଲପୁର ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ