ମୁଁ ପରଭେଜ ମୁଶାରଫ ନୁହେଁ ଯେ ଡରିଯାଇ ବିଦେଶରେ ଲୁଚି ରହିବି: ନୱାଜ ସରିଫ
Khabar Odisha:Nawaj-Sarif-to-return-Pakistan-today

ଇଂଲଣ୍ଡ/ଇସଲାମାବାଦ, ଜୁଲାଇ ୧୩ (ଖବର ଓଡ଼ିଶା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ନିଜର ଝିଅ ମରିୟମ ନୱାଜଙ୍କ ସହିତ ଶୁକ୍ରବାର ସନ୍ଧ୍ୟା ପୂର୍ବରୁ ଲାହୋର ପହଞ୍ଚିବେ । ବର୍ତ୍ତମାନ ସେ ଲଣ୍ଡନରେ ଅଛନ୍ତି । କଳା ଧନ ରାଶିରେ ଲଣ୍ଡନର ପର୍ସ ଅଞ୍ଚଳରେ ଏଭେନ ଫିଲ୍ଡରେ ଫ୍ଲାଟ କିଣିବା ମାମଲାରେ ତାଙ୍କୁ ୧୦ ବର୍ଷ ଓ ଝିଅ ମରିୟମଙ୍କୁ ୭ ବର୍ଷ ସଜା ମିଳିଛି । ସରିଫ ଲାହୋର ବିମାନ ବନ୍ଦରରେ ପହଞ୍ଚିବା ପରେ ଗିରଫ ହେବେ । 

ଲଣ୍ଡନରେ ବେଆଇନ ଭାବେ ସଂପତ୍ତି କିଣିବା ଅଭିଯୋଗରେ ନୱାଜ ସରିଫ ଆଜି ଝିଅଙ୍କ ସହିତ ଗିରଫ ହେବେ । ଏଥି ପାଇଁ ବିମାନ ବନ୍ଦରରେ ପୋଲିସ ମୁତୟନ କରାଯାଇଛି । ଗିରଫ ପରେ ନୱାଜ ଓ ମରିୟମଙ୍କୁ ହେଲିକପ୍ଟରରେ ରାଓଲପିଣ୍ଡି ଅଦାଲତ ନିଆଯିବ । ପାକିସ୍ତାନ ସରକାର ଦୁର୍ନୀତି ମାମଲାରେ ଦୋଷୀ ଅଭିଯୁକ୍ତଙ୍କ ଟିଭି ସାକ୍ଷାତକାର ଓ ସିଧା ପ୍ରସାରଣ ନେଇ ନିଷିଦ୍ଧ ଜାରି କରିଛି । କୋର୍ଟରେ ହାଜର ହେବା ପରେ ସରିଫ ଆଦିୟାଲା ଜେଲରେ ରହିବେ ।  

ପାକିସ୍ତାନ ଫେରିବାର ଗୋଟିଏ ଦିନପୂର୍ବରୁ ନୱାନ ସରିଫ କହିଛନ୍ତି, ମୁଁ ପରଭେଜ ମୁଶାରଫ ନୁହେଁ ଯେ ଚୋର ଭଳି ବିଦେଶରେ ଲୁଚି ରହିଯିବି । ମୋ ବିରୋଧରେ ଯିଏ ଏହି ଷଡ଼ଯନ୍ତ୍ର କରିଛି, ସେ ଦେଶର ଜନତାଙ୍କ ସହିତ ଖେଳ ଖେଳୁଛି । ବର୍ଷ ୧୯୭୧ରେ ମଧ୍ୟ ଏମିତି ଖେଳ ଖେଳାଯାଇ  ଦେଶକୁ ଖଣ୍ଡ ବିଖଣ୍ଡ କରାଯାଇଥିଲା । 

ଏଭେନ ଫିଲ୍ଡ ଦୁର୍ନୀତି ମାମଲାରେ ୧୦ ବର୍ଷ ସଜା ପାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ସ୍ୱଦେଶ ଫେରିବା ପୂର୍ବରୁ କହିଛନ୍ତି । ମୁଁ କାହାକୁ ଡରେ ନାହିଁ । ମୁଁ କୌଣସି ଦୁର୍ନୀତି କରି ନାହିଁ । ମୁଁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଭଳି ପଳାତକ ଓ ଚୋର ନୁହେଁ, ଜେଲ ଯିବା ଭୟରେ ଲୁଚି ବାହାରେ ବସି ରହିବି । ନୱାଜ ସରିଫ ପାକିସ୍ତାନ ତହରିକ-ଏ-ଇନସାନ ପାର୍ଟି ଓ ପାକିସ୍ତାନ ମୁସଲିମ ଲିଗ ଉପରେ ଅଭିଯୋଗ ଆଣି କହିଛନ୍ତି ବାକି ପାର୍ଟି ଦେଶରେ ପ୍ରଚାର କରୁଛନ୍ତି ଓ ଆମର ପାର୍ଟି ବିରୋଧରେ ଲୋକଙ୍କୁ ବୁଝାଉଛନ୍ତି । ଆମର ପ୍ରାର୍ଥୀଙ୍କୁ ଧମକ ଦେଉଛନ୍ତି । 

 

  • Tags:

Subscribe

National International State Sports Entertainment