ନୂଆପଡା ଉପନିର୍ବାଚନ ପାଇଁ ଦିନ ଯେତେ ଯେତେ ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ବି ଜମିବାରେ ଲାଗିଛି। ୩ ଦଳର ପ୍ରାର୍ଥୀ ନିଜ ନିଜ ପ୍ରଚାରକୁ ଜୋରଦାର କରିବାରେ ଲାଗିଛନ୍ତି। ରାଜନୈତିକ ଦଳ ମାନେ ମଧ୍ୟ ଜନମତକୁ ନିଜ ସପକ୍ଷକୁ ନେବା ପାଇଁ ସବୁପ୍ରକାର ଉଦ୍ୟମ ଚଳାଇଛନ୍ତି। ଏବେ ମାହୋଲ ସରଗରମ ଥିବାବେଳେ ବିଜେପିର ପୂର୍ବତନ ସଭାପତି ତଥା ନୂଆପଡ଼ାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ବିଜେଡିରେ ମିଶିଛନ୍ତି।
ସେପଟେ ବିଜେପି ଏହାକୁ ନେଇ କହିଛି, ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡିବ ନାହିଁ, କାରଣ ନୂଆପଡାରେ ଭାରତୀୟ ଜନତା ପାଟିକୁ ବିପୁଳ ପରିମାଣର ସମର୍ଥନ ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, 'ନୂଆପଡାରେ ମାତୃଶକ୍ତିଙ୍କ ସମର୍ଥନ ଭାରି ପଡିବ। ବିଜେପିର ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ସୁନିଶ୍ଚିତ'।
ନୂଆପଡାରେ ଏବେ ପ୍ରଚାର ମୈଦାନକୁ ଅଧିକ ସତେଜ କରିବା ଲାଗି ସବୁ ଦଳର ବଡ଼ ନେତାମାନଙ୍କୁ ଡାକିବାର ଏକ ବ୍ୟବସ୍ଥା ଆରମ୍ଭ ହୋଇଗଲାଣି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଲାଗି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯାଏ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଆଗକୁ ବି ଜୟଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।
ବିଜେଡି ବି ପ୍ରଚାରର ପଛରେ ପଡିନି। ବିଜେଡିର ସବୁ ବରିଷ୍ଠ ନେତା ଏବେ ନୂଆପଡାରେ ଡେରା ପଖାଇଛନ୍ତି। ଭୋଟ ରଖିବା ଲାଗି ବିଜେଡି ପାଖରେ ଏକମାତ୍ର ବିକଳ୍ପ ଭାବେ ତାଙ୍କ ଦଳର ସଭାପତି ନବୀନ ପଟ୍ଟନାୟକ ରହିଥିବା ନେଇ ସେମାନଙ୍କ ବହୁ ତୁଙ୍ଗ ନେତା କହି ବୁଲୁଛନ୍ତି। ସେହିକ୍ରମରେ ନବୀନ କୁଆଡେ ଆସନ୍ତା ୩ ଓ ୭ ତାରିଖରେ ପ୍ରଚାର କରିବା ପାଇଁ ନୂଆପଡା ଆସିପାରନ୍ତି ବୋଲି ଶୁଣାଯାଉଛି। ନେତାଙ୍କ କହିବା ଅନୁଯାୟୀ ଦୁଇ ଦୁଇ ଥର ନବୀନ ଆସିବା ପରେ ଯଦି ଦଳର ପ୍ରଦର୍ଶନ ତୃତୀୟ ସ୍ଥାନକୁ ଖସିଯାଏ କିମ୍ବା ଦୁଇ ସ୍ଥାନରେ ରହିବାର ବ୍ୟବଧାନ ବଢିଯାଏ ତେବେ ସବୁଦିନ ଲାଗି ଦଳର ଆଶାବାଡି ନିରାଶାର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ରାଜନୈତିକ ବିଶ୍ଲେଷକଙ୍କ କହିବା ଅନୁଯାୟୀ ୨୦୨୪ ନିର୍ବାଚନ ହାରିବା ପରେ ଏହି ଉପନିର୍ବାଚନରେ ନବୀନଙ୍କ ପ୍ରଚାର ଯଦି ତାଙ୍କ ଦଳକୁ ଜିତାଇବାର ରାସ୍ତା ଦେଖାଇ ନ ପାରେ, ତା’ହେଲେ ଜନସାଧାରଣ ଧରିନେବେ ନବୀନଙ୍କ ସମୟ ସରିଗଲା।
ଅଧିକ ପଢନ୍ତୁ: ନୂଆପଡାରେ ନବୀନଙ୍କ ପ୍ରଚାରର କୌଣସି ଫରକ ପଡିବ ନାହିଁ: ବିଜେପି