ବ୍ରହ୍ମପୁର: ଓଡ଼ିଶା ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିଛି । ମାଷ୍ଟରମାଇଣ୍ଡ ମୁନା ମହାନ୍ତିଙ୍କ ସହ ଅନ୍ୟ ୯ଜଣଙ୍କୁ ଜାମିନ ଆବେଦନ ଖାରଜ ହୋଇଛି । ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ।
କୌଣସି ଅଭିଯୁକ୍ତ ପୋଲିସର ବିନା ଅନୁମତିରେ ନିଜ ଅଞ୍ଚଳ ଛାଡ଼ି ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ଥାନାରେ ହାଜିରା ପକାଇବା ସହିତ ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ । ତଦନ୍ତରେ ତଦନ୍ତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ୧୧୪ ପରୀକ୍ଷାର୍ଥୀଙ୍କ ପାଇ ୪୦ରୁ ଅଧିକ ଓକିଲ ଜାମିନ ଆବେଦନ କରିଥିଲେ ।
ଏସଆଇ ପରୀକ୍ଷା ମାମଲାରେ ୧୧୪ ପରୀକ୍ଷାର୍ଥୀଙ୍କ ସହିତ ମୋଟ ୧୨୩ ଜଣଙ୍କୁ ଗିରଫ କରାଯାଇଥିଲା । ମାଷ୍ଟରମାଇଣ୍ଡ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଲକ୍ଷ୍ମୀଧର ମହାରଣା, ବିଶ୍ୱରଞ୍ଜନ ବେହେରା, ସୌମ୍ୟା ପ୍ରିୟଦର୍ଶିନୀ ସାମଲ ଓ ଟି ଅଭିମନ୍ୟୁ ଦୋରା ପ୍ରମୁଖ ଗିରଫ ହୋଇଛନ୍ତି । ଏସ୍ଆଇ ପରୀକ୍ଷା ପୂର୍ବରୁ ୧୧୪ ପରୀକ୍ଷାର୍ଥୀଙ୍କୁ ସ୍ୱତନ୍ତ୍ର ବସରେ ଆନ୍ଧ୍ର ପ୍ରଦେଶ ଯାଉଥିବାବେଳେ ପୋଲିସ ଗିରଫ କରିଥିଲା ।