ଭୁବନେଶ୍ୱର : ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ବାତ୍ୟା ‘ମୋନ୍ଥା’। ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଭୟଙ୍କର ଘୂର୍ଣ୍ଣିଝଡ଼ ରୂପ ନେଇଛି। ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି।ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଏବେ ନରସପୁର ଓ ମଛଲିପଟ୍ଟନମ ମଧ୍ୟରେ ଅଛି ‘ମୋନ୍ଥା’। କ୍ରମଶଃ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇପାରେ।
ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣିଂ ଜାରି ହୋଇଛି।
ମୋନ୍ଥା'ର ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୫୧.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି।
କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ୫୧ ମି.ମି, ଯାଜପୁରରେ ୪୨.୪ ମି.ମି ଓ ଭଦ୍ରକରେ ୩୭ ମି.ମି ଏବଂ କୋରାପୁଟରେ ୩୬ ମି.ମି ବର୍ଷା ହୋଇଥିବା ରେକର୍ଡ ହୋଇଛି।
ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।