ଗୌହାଟୀ: ଆସାମ ରାଜନୀତିରେ ଭୂକମ୍ପ । କଂଗ୍ରେସ ନେତା ଗାନ କଲେ ବାଂଲାଦେଶର ଜାତୀୟ ସଙ୍ଗୀତ । ଏହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ଆସାମ କଂଗ୍ରେସର ବରିଷ୍ଠ ନେତା ବିଧୂଭୂଷଣ ଦାସ ଏକ କାର୍ଯ୍ୟକ୍ରମରେ ବାଂଲାଦେଶର ଜାତୀୟ ସଙ୍ଗୀତ ‘ଅମାର ସୋନାର ବାଂଲା, ଆମି ତୋମାୟ ଭାଲୋବାଶୀ’ ଗାନ କରିବାର ଆରୋପ ଲାଗିଛି ।ଏହାକୁ ନେଇ ଆସାମର ବାରାକ ଘାଟି ଅଞ୍ଚଳରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ଏହି ଘଟଣା ସୋମବାର କଂଗ୍ରେସ ସେବା ଦଳର ବୈଠକ ସମୟରେ ଶ୍ରୀଭୂମି ଜିଲ୍ଲାର ଇନ୍ଦିରାରେ ଘଟିଛି ।
ଦାସ ହେଉଛନ୍ତି ଶ୍ରୀଭୂମିର ବାସିନ୍ଦା ଏବଂ ସେବା ଦଳର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି । ସେ ନିଜର ସମ୍ବୋଧନର ଆରମ୍ଭ ରବୀନ୍ଦନାଥ ଠାକୁରଙ୍କ ଦ୍ୱାରା ରଚିତ ଏହି ଗୀତ ଗାନ କରିଥିଲେ । ଏହା ହେଉଛି ସେହି ଗୀତ ଯାହା ପରେ ବାଂଲାଦେଶର ଜାତୀୟ ସଙ୍ଗୀତରେ ପରିଣତ ହୋଇଥିଲା । ଠାକୁର ୧୯୦୫ରେ ପଶ୍ଚିବଙ୍ଗର ପ୍ରଥମ ବିଭାଜନ ସମୟରେ ଏହାକୁ ରଚନା କରିଥିଲେ ।
ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳବାର ରାଜନୈତିକ ମହଲରେ ଚହଲ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟର ମନ୍ତ୍ରୀ ତଥା ବିଜେପି ନେତା କୃଷ୍ଣେନ୍ଦୁ ପାଲ କହିଛନ୍ତି ମୋତେ ଖବର ମିଳିଛି ଯେ, କଂଗ୍ରେସ ନେତା ବାଂଲାଦେଶର ଜାତୀୟ ସଙ୍ଗୀତ ଗାନ କରିଛନ୍ତି । କଂଗ୍ରେସରେ ସବୁ କିଛି ସମ୍ଭବ । ସେମାନଙ୍କୁ ବେଶ ଭଲ ଭାବେ ଜଣା ଯେ, କେବେ ଏବଂ କେଉଁଠି କେଉଁ ଗୀତ ଗାନ କରାଯିବ । ଏହି ଭିଡିଓ ଦେଖି ପୋଲିସ ଘଟଣାର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ କଂଗ୍ରେସ ଏହି ବିବାଦକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି ।
Also read: ଭାରତ-ଚୀନ୍ ସୀମା ବିବାଦ: ପୁଣି ଥରେ ସମାଧାନ ହେବ କି ସମ୍ପର୍କ?