ନୂଆଦିଲ୍ଲୀ: ପଞ୍ଜାବ ପ୍ରସିଦ୍ଧ ଗାୟକ ଦିଲଜୀତ ଦୋସାଞ୍ଜଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁର ଧମକ ମିଳିଛି । ଅଷ୍ଟ୍ରେଲିଆର ସିଡନୀରେ ନଭେମ୍ବର ୧ ରେ ହେବାକୁ ଥିବା ଦୋସାଞ୍ଜଙ୍କ ସଙ୍ଗୀତ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ଧମକ ଦେଇଛି । ଖାଲି ସେତିକି ନୁହେଁ ଏହି ମାମଲା ବଲିଉଡ୍ ଶେହନଶାହ ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ ଜଡ଼ିତ ରହିଛି । ଦିଲଜୀତ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁଥିବାରୁ ଏହା ୧୯୮୪ ହତ୍ୟାକାଣ୍ଡର ପୀଡିତଙ୍କୁ ଅପମାନ ବୋଲି ପନ୍ନୁ କହିଛି ।
ଦୋସାଞ୍ଜଙ୍କ କନସର୍ଟ ନଭେମ୍ବର ୧ରେ ଅଷ୍ଟ୍ରେଲିଆର ସିଡନୀରେ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ଅକାଳ ତଖତ୍ ସାହିବ ଶିଖ ଗଣହତ୍ୟା ସ୍ମାରକୀ ଦିବସ ଭାବରେ ପାଳନ କରାଯିବ । ଏକ ବିବୃତ୍ତିରେ ପନ୍ନୁ କହିଛି ଯେ ବଚ୍ଚନଙ୍କ ପାଦ ଛୁଇଁ ଦିଲଜୀତ ଦୋସାଞ୍ଜ "୧୯୮୪ ଶିଖ ଗଣହତ୍ୟାର ପ୍ରତ୍ୟେକ ପୀଡିତ, ବିଧବା ଏବଂ ଅନାଥଙ୍କୁ ଅପମାନିତ କରିଛନ୍ତି।" ପନ୍ନୁ ଦାବି କରିଛି ଯେ ଅମିତାଭ ବଚ୍ଚନ ୩୧ ଅକ୍ଟୋବର ୧୯୮୪ ରେ "ଖୁନ୍ କା ବଦଲା ଖୁନ୍" ସ୍ଲୋଗାନ ଦେଇଥିଲେ, ଯାହା ଜନତାଙ୍କୁ ଉସୁକାଇଥିଲା । ଏହା ପରେ ହିଁ ଶିଖମାନଙ୍କୁ ଗଣହତ୍ୟା କରିଥିବା ଜନତା ବାହାରକୁ ଆସିଥିଲେ ।
ଏହା ସହ ଦୋସାଞ୍ଜଙ୍କ କାର୍ଯ୍ୟକ୍ରମର ତାରିଖକୁ ମଧ୍ୟ ସମାଲୋଚନା କରି ପନ୍ନୁ କହିଛି ଯେ ଏହା ଶିଖ ପୀଡିତଙ୍କ ପ୍ରତି ଉପହାସ । ଶିଖ୍ ଫର୍ ଜଷ୍ଟିସ୍ ଘୋଷଣା କରିଛି ଯେ ଏହା ନଭେମ୍ବର 1 ତାରିଖରେ ସ୍ଥାନ ବାହାରେ ଏକ ରାଲି କରିବ ଏବଂ ଅକାଲ ତଖ୍ତ ଜାଠେଦାର ଜ୍ଞାନୀ କୁଲଦୀପ ସିଂହ ଗର୍ଗଜଙ୍କୁ ଚିଠି ଲେଖି ଦୋସାଞ୍ଜଙ୍କୁ ଡାକି ତାଙ୍କ କାର୍ଯ୍ୟ ବିଷୟରେ ବୁଝାଇବାକୁ ଅନୁରୋଧ କରିଛି ।