ଟିଟିଲାଗଡ଼: ଏବେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଛି । ସରକାରୀ ଅଧିକାରୀ ମାନେ ଦୁର୍ନୀତିରୁ ଦୂରେଇ ରହିବାକୁ ଶପଥ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି । କିନ୍ତୁ କିଛି ସରକାରୀ ଅଧିକାରୀ ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’ ବାକ୍ୟରେ ଚାଲିଛନ୍ତି । ନିଜ କାର୍ଯ୍ୟକଳାପରୁ ବାଦ ପଡ଼ୁ ନାହାଁନ୍ତି । ଆଜି ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛି । ସେ ହେଲେ ବଲାଙ୍ଗୀର ଟିଟିଲାଗଡ଼ ସହକାରୀ ସିଟି ଜିଏସଟି ଅଧିକାରୀ ଉମାକାନ୍ତ ମହାକୁଡ଼ ।
ଅଭିଯୋଗ ମୁତାବକ, ଜିଏସଟି ଅଧିକାରୀ ଉମାକାନ୍ତ ମହାକୁଡ଼, ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ବ୍ୟବସାୟୀଙ୍କ ବକେୟା ଟାକ୍ସକୁ ଛାଡ଼ କରିବାକୁ ଜିଏସଟି ଅଧିକାରୀ ୧୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ସମ୍ପୃକ୍ତ ବ୍ୟବସାୟୀଙ୍କର ପ୍ରତି ବର୍ଷ ୨୫୦୦ ଟଙ୍କା ହିସାବରେ ତିନି ବର୍ଷରେ ୭୫୦୦ ଟଙ୍କା ଟିକସ ବାକି ଥିଲା । ଏଥିପାଇଁ ତାଙ୍କ ଉପରେ ଟିକସ ଏବଂ ଫାଇନ୍ ସହ ମୋଟ ୨୩,୬୦୦ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେଥିପାଇଁ ବ୍ୟବସାୟୀ ଜଣକ ଜିଏସଟି ଅଧିକାରୀ ଶ୍ରୀ ମହାକୁଡ଼ଙ୍କୁ କେବଳ ଟିକସ ବାବଦକୁ ଟଙ୍କା ନେବାକୁ ଅନୁରୋଧ କରିଥିଲେ । କିନ୍ତୁ ମହାକୁଡ଼ କେବଳ ଟିକସ ଟଙ୍କା ନେବାକୁ ମନା କରିଦେବା ସହିତ ଓଲଟା ୧୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ବ୍ୟବସାୟୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।
ଯୋଜନା ମୁତାବକ ମହାକୁଡ଼ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଥିଲେ । ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହା ପରେ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ଉ କରାଯାଉଛି । ସମ୍ବଲପୁର ଭିଜିଲାନ୍ସ ନିକଟରେ ମାମଲା ରୁଜୁ ହୋଇଛି ।