ହାଇଦ୍ରାବାଦ: ମାଓ ବିରୋଧୀ ଅଭିଯାନରେ ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଦୁଇ ହାର୍ଡକୋର୍ ମାଓ ନେତା ପୁଲ୍ଲୁରି ପ୍ରସାଦ ରାଓ ଓରଫ୍ ଚନ୍ଦ୍ରାନ୍ନା (୬୦) ଏବଂ ବନ୍ଦୀ ପ୍ରକାଶ (୪୩) ଓରଫ୍ ପ୍ରକାଶ ଓରଫ୍ ପ୍ରଭାତ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି ବି. ଶିବାଧର ରେଡ୍ଡୀଙ୍କ ଉପସ୍ଥିତିରେ ଉଭୟ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।
ପ୍ରସାଦ ରାଓ କେନ୍ଦ୍ରୀୟ ମାଓ କମିଟିର ସଦସ୍ୟ ଥିବାବେଳେ ବନ୍ଦୀ ପ୍ରକାଶ ତେଲେଙ୍ଗାନା କମିଟି ସଦସ୍ୟ ଥିଲା । ପ୍ରସାଦ ରାଓ ଦୀର୍ଘ ୪୫ ବର୍ଷ ଧରି ମାଓ ସଂଗଠନ ସହିତ ଜଡ଼ିତ ଥିଲା । ସେ ପେଡ୍ଡାପାଲ୍ଲୀ ଜିଲ୍ଲା ଜୁଲାପାଲ୍ଲୀ ଥାନା ଅନ୍ତର୍ଗତ ବଡ଼କାପୁରର ମୂଳ ବାସିନ୍ଦା ଅଟେ । ତାଙ୍କ ବାପା ସରକାରୀ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକ ଥିଲେ । ତା ସ୍ତ୍ରୀ କୁରସାଙ୍ଗୀ ମୋଠିବାଇ ମଧ୍ୟ ମାଓବାଦୀ ଥିଲା । ତାକୁ ୨୦୧୩ରେ ଗିରଫ କରାଯାଇଥିଲା । ୨୦୧୫ରେ ଜେଲରୁ ମୁକ୍ତ ହେବା ପରେ ସେ ଆଡ଼ିଲାବାଦରେ ରହୁଛି ।
ସେହିପରି ପ୍ରକାଶ ସିଙ୍ଗାରେନୀ ଖଣି ଅଞ୍ଚଳରେ ଜଣେ ମୁଖ୍ୟ ସଂଗଠକ ଥିଲା । ଉଭୟଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ପ୍ରସାଦକୁ ୨୫ ଲକ୍ଷ ଏବଂ ପ୍ରକାଶକୁ ୨୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଛି ।