ଜଳେଶ୍ଵର: ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଫଳରେ ବସ୍ ଚାଳକ ଏବଂ ହେଲପରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବସ୍ ଡ୍ରାଇଭର୍ ହେଲେ ସାଲେପୁରର ମୀର ଅବଦୁଲ ରହିମ୍ (୩୯) ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ (୪୦) । ଏହା ସହିତ ପ୍ରାୟ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଜଳେଶ୍ୱରସ୍ଥିତ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟାରେ ଏକ ଡ଼ଲଫିନ୍ ବସ୍ (ଓଡି୦୫ବିଏଲ-୭୧୬୫) ବସ୍ ଢେଙ୍କାନାଳ ଜିଲ୍ଲା ନୃସିଂହପୁରରୁ କୋଲକାତା ଅଭିମୁଖେ ବାହାରିଥିଲା । ବସରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ କୋଲକାତା ଯାଉଥିଲେ । ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ୧୬ ନଂ ଜାତୀୟ ରାଜପଥ, ଜଳେଶ୍ୱର ନୂଆ କୋର୍ଟ ସମ୍ମୁଖରେ ଏକ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିଲା । ବସଟି ଟ୍ରକ୍ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା । ଫଳରେ ବସରେ ଆଗରେ ଥିବା ଡ୍ରାଇଭର ଏବଂ ଯାତ୍ରୀମାନଙ୍କର ଅଧିକ କ୍ଷତି ହୋଇଥିଲା । ଘଟଣାସ୍ଥଳରେ ବସର ଡ୍ରାଇଭର ଅବଦୁଲ ରହିମ୍ ଏବଂ ହେଲପର୍ ନୃସିଂହ କାଠୁଆଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ସେହିପରି ଢେଙ୍କାନାଳର ପାରାନା ବେଗମ, ଗୁଲହର ବିବି ଓ ସୁରେଶ ପରିଡା, ଭଦ୍ରକର ସଞ୍ଜୀବ ସାହୁ, ମାନସ ମହାନ୍ତି ଏବଂ କେନ୍ଦ୍ରାପଡ଼ାର ପ୍ରବୀର ବେହେରା, କଣ୍ଡକ୍ଟର ନିମାପଡା ଅଞ୍ଚଳର ରୁଦ୍ରଜିତ ମହାପାତ୍ର ଗୁରୁତର ହୋଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଁଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ମେଡ଼ିକାଲ ପଠାଯାଇଥିଲା । ଗୁରୁତର ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ପାରାନା ବେଗମ ଓ ଗୁଲହର ବିବିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ପୋଲିସ ଉକ୍ତ ବସ୍ ଏବଂ ଟ୍ରକକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ :-ବର୍ତ୍ତିଗଲା ଓଡ଼ିଶା: ହଟିଲା ରେଡ୍ ୱାର୍ଣ୍ଣିଂ, ଆଜି ହାଲୁକା ବର୍ଷା