ଭୁବନେଶ୍ୱର: ଭୀଷଣ ବାତ୍ୟା ମୋନ୍ଥା ସ୍ଥଳଭାଗ ଛଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । କାକିନଡ଼ା ପରିବର୍ତ୍ତେ ନର୍ସାପୁର ନିକଟରେ ସ୍ଥଳ ଭାଗ ଛୁଇଁବା ପରେ ମୋନ୍ଥା ତାର ଦିଗ ପରିବର୍ତ୍ତନ କରିଛି । ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ତେଣୁ ଯାହା ଆକଳନ କରାଯାଇଥିଲା ତାଠାରୁ କମ୍ ପ୍ରଭାବ ଓଡ଼ିଶା ପଡ଼ିଛି । ଏହା ଆହୁରି ଦୁର୍ବଳ ହୋଇ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ ।
ଓଡ଼ିଶା ଉପରେ ଆଉ ବାତ୍ୟାର ପ୍ରଭାବ ନାହିଁ । ବାତ୍ୟା ଚାଲିଯାଇଥିବାବେଳେ ରାଜ୍ୟରେ ଆଜି ବି କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ସେଥିପାଇଁ ପୂର୍ବରୁ ଦିଆଯାଇଥିବା ରେଡ୍ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । କେବଳ ମାଲକାନଗିରି ଏବଂ କୋରାପୁଟ ପାଇଁ ୟେଲୋ ୱାର୍ଣ୍ଣିଂ ଥିବାବେଳେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ବି ବର୍ଷା ଲାଗି ରହିଛି । ତେବେ ଗତକାଲି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ସର୍ବାଧିକ ୫୧.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ୫୧ ମି.ମି, ଯାଜପୁରରେ ୪୨.୪ ମି.ମି ଓ ଭଦ୍ରକରେ ୩୭ ମି.ମି ବର୍ଷା ଓ କୋରାପୁଟରେ ୩୬ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।