ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ଘୋଷଣା କରିବା ଖବର ମିଥ୍ୟା ଅଟେ । ଏମିତି କିଛି ବି ହୋଇନାହିଁ । ଏଭଳି କିଛି ସଫେଇ ଦେଇଛି ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।
ବିଗତ କିଛି ଦିନ ହେବ ବଲିଉଡ୍ ଦବଙ୍ଗ ହିରୋ ସଲମାନ ଖାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ତାଙ୍କୁ ଆତଙ୍କବାଦୀ ଘୋଷଣା କରିବା ପରେ ପ୍ରଶଂସକ କ୍ଷୋଭ ପ୍ରକାଶ କରିଛନ୍ତି । ପାକିସ୍ତାନକୁ ସାରା ବିଶ୍ୱରୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ଶେଷରେ ପାକିସ୍ତାନ ସଫେଇ ଦେଇଛି । ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି, ଏହା ଏକ ମିଥ୍ୟା ଖବର ଅଟେ । ସଲମାନଙ୍କ ନାମକୁ କୌଣସି ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇନାହିଁ । ଯେଉଁ ଖବର ପ୍ରସାରିତ ହେଉଛି ତାହା ମିଥ୍ୟା ଅଟେ । ଏହା ସହିତ ପ୍ରକାଶିତ ନ୍ୟୁଜ୍ ଉପରେ ଫେକ୍ ବା ମିଥ୍ୟା ଷ୍ଟାମ୍ପ୍ ଲଗାଯାଇଛି । ଯେଉଁଥିରେ ଲେଖାଯାଇଥିଲା ଯେ ବେଲୁଚିସ୍ତାନ ଉପରେ କମେଣ୍ଟ କରିବା ପରେ ସଲମାନ ଖାନଙ୍କୁ କଥିତ ଭାବରେ ପାକିସ୍ତାନ ଆତଙ୍କବାଦୀ ବିରୋଧୀ ଆଇନ ଅନୁସାରେ ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇଛି ।
ପ୍ରକାଶ ଯୋଗ୍ୟ, ଚଳିତ ମାସରେ ସଲମାନ ଖାନ, ଶାହରୁଖ ଖାନ ଏବଂ ଅମିର ଖାନ ସାଉଦିଆରବର ରିୟାଦରେ ଜୟ ଫୋରମ୍-୨୦୨୫ରେ ଯୋଗଦେଇଥିଲେ । ସେଠାରେ ସଲମାନ ଏ ଭାଷଣରେ ବେଲୁଚିସ୍ତାନକୁ ଏକ ଅଲଗା ଦେଶ ଭାବରେ ଅଭିହିତ କରିଥିଲେ । ମଞ୍ଚ ଉପରେ ସଲମାନ କହିଥିଲେ, “ବର୍ତ୍ତମାନ, ଯଦି ଆପଣ ଏକ ହିନ୍ଦୀ ଚଳଚ୍ଚିତ୍ର ତିଆରି କରନ୍ତି ଏବଂ ଏହାକୁ ଏଠାରେ (ସାଉଦି ଆରବରେ) ମୁକ୍ତିଲାଭ କରନ୍ତି, ତେବେ ଏହା ସୁପରହିଟ୍ ହେବ। ଯଦି ଆପଣ ଏକ ତାମିଲ, ତେଲୁଗୁ କିମ୍ବା ମାଲାୟଲମ ଚଳଚ୍ଚିତ୍ର ତିଆରି କରନ୍ତି, ତେବେ ଏହା ଶହ ଶହ କୋଟି ଟଙ୍କାର ବ୍ୟବସାୟ କରିବ କାରଣ ଅନ୍ୟ ଦେଶରୁ ଏତେ ଲୋକ ଏଠାକୁ ଆସିଛନ୍ତି । ଏଠାରେ ବେଲୁଚିସ୍ତାନ, ଆଫଗାନିସ୍ତାନ, ପାକିସ୍ତାନର ଲୋକ... ସମସ୍ତେ ଏଠାରେ କାମ କରୁଛନ୍ତି।" ଯାହା ପରେ ଏପରି ଖବର ଆସିଥିଲା ।