କୋରାପୁଟ: ବାତ୍ୟା ମୋନ୍ଥା ବେଳେ କୋରାପୁଟ ଜିଲାରେ ମୋଟ୍ ୧୩୬ ଜଣ ଶିଶୁ ଜନ୍ମ ହୋଇଛନ୍ତି। ସେଥିମଧ୍ୟରୁ ୬୭ ଜଣ ପୁଅ ଓ ୬୯ ଜଣ ଝିଅ ରହିଛନ୍ତି। ଏନେଇ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ନୀଳମାଧବ ଶତପଥୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ବାତ୍ୟା ମୋନ୍ଥା ଚାଲିଥିବା ବେଳେ ଜିଲାର ବିଭିନ୍ନ ମେଡିକାଲ ଓ ମା’ ଘରେ ମୋଟ୍ ୩୩୨ ଜଣ ଗର୍ଭବତୀ ମା’ଙ୍କୁ ରଖାଯାଇଥିଲା। ସେଥିମଧ୍ୟରୁ ମା’ ଘରେ ୧୬୦ ଜଣଙ୍କୁ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭୨ ଜଣଙ୍କୁ ରଖାଯାଇଥିଲା। ଗତ ୨୬ ଓ ୨୮ ତାରିଖରେ ଏହି ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ଶିଶୁମାନଙ୍କ ମଧ୍ୟରେ ୨ଟି ଜାଆଁଳା ରହିଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମସ୍ତ ନବଜାତ ଓ ମା’ ସୁସ୍ଥ ଅଛନ୍ତି।