ରାଜସ୍ଥାନ ହାଇକୋର୍ଟ ଏକ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ଆଶାରାମଙ୍କୁ ଛଅ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୀବ ପ୍ରକାଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଡିଭିଜନ ବେଞ୍ଚ ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।
ଆଶାରାମ ବାପୁ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥତା ଦର୍ଶାଇ ସେ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ। ସେ ଯୌନ ନିର୍ଯାତନା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏହାପୂର୍ବରୁ ଜାନୁଆରୀ ମାସର ପ୍ରାରମ୍ଭରେ, ସୁପ୍ରିମକୋର୍ଟ ତାଙ୍କୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ କାରଣରୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ଖଣ୍ଡପୀଠ ଉଲ୍ଲେଖ କରିଥିଲେ ଯେ ଆଶାରାମଙ୍କର ବୟସ ସମ୍ପର୍କିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଅଛି ଏବଂ ସେ ଦୁଇଟି ହୃଦଘାତର ଶିକାର ହୋଇଛନ୍ତି।
୨୦୧୩ରେ ହୋଇଥିଲେ ଗିରଫ
ଯୋଧପୁର ଆଶ୍ରମରେ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ ପରେ, ପୋଲିସ ୨୦୧୩ ମସିହାରେ ଆଶାରାମଙ୍କୁ ତାଙ୍କ ଇନ୍ଦୋର ଆଶ୍ରମରୁ ଗିରଫ କରିଥିଲା। ପାଞ୍ଚ ବର୍ଷର ବିଚାର ପରେ, ଯୋଧପୁର POCSO କୋର୍ଟ ୨୫ ଏପ୍ରିଲ ୨୦୧୮ ରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା। ପରବର୍ତ୍ତୀ ସମୟରେ, ୨୦୧୩ ମସିହାରେ ଗୁଜରାଟର ସୁରଟରେ ଜଣେ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ପାଇଁ ୨୦୨୩ ମସିହାରେ ଗୁଜରାଟର ଏକ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା। ଆଶାରାମଙ୍କୁ ତାଙ୍କ ଅନୁଗାମୀମାନଙ୍କୁ ଭେଟିବା ପାଇଁ ବାରଣ କରାଯାଇଛି।