ନୂଆପଡା: ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ପାରା ଉପରେ ରହିଛି । ପ୍ରଚାର ମଇଦାନ ଦୁଲୁକିବା ସହ ବିଜେପି ଓ ବିଜେଡି ମଧ୍ୟରେ ନେତାଙ୍କ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଏହି କ୍ରମରେ ବିଜେପି ନେତା ଅଭିନନ୍ଦନ ପଣ୍ଡା ବିଜେଡିୁ ମାରିଛନ୍ତି ତେରଚ୍ଛା ବାଣ । ନବୀନ ପଟ୍ଟନାୟକ ଏଠି ପ୍ରଚାର କରିବାକୁ ଆସିଲେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।
ଅଭିନନ୍ଦନ କହିଛନ୍ତି, ନୂଆପଡାରେ ବିଜେପି ଉପରେ ଲୋକଙ୍କ ଭରସା ବଢିଛି । ଏଥର ନୂଆପଡାରେ ବିଜେପି ଜିତିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡାକୁ ୧୧୦୦ କୋଟିର ଭେଟି ଦେଇ ସାରିଛନ୍ତି । ପୂର୍ବରୁ କୌଣସି ସରକାର ନୂଆପଡାକୁ ଏତେ ଟଙ୍କାର ପ୍ରକଳ୍ପ ଦେଇ ନ ଥିଲେ । ନୂଆପଡାର ବିକାଶଧାରାକୁ ବିଜେପି ସରକାର ଆଗେଇ ନେବ । ନବୀନ ପଟ୍ଟନାୟକ ନୂଆପଡାକୁ ପ୍ରବାର କରିବାକୁ ଆସିଲେ ବି କୌଣସି ଫରକ ପଡିବ ନାହିଁ ।
ବିଜେଡି ପ୍ରାର୍ଥୀଙ୍କୁ ମଧ୍ୟ ସେ କଟାକ୍ଷ କରିଛନ୍ତି । ଅଭିନନ୍ଦନ କହିଛନ୍ତି, ନୂଆପଡା ମୋ ମାମୁଁ ଘର କହି ଏଠି ଭୋଟ୍ ମଗା ଯାଉଛି । କେଉଁଠି କାହାର ମାମୁଁ ଘର, କକା ଘର ଆମେ ଜାଣିନୁ । ଆମେ କେମିତି ଜାଣିବୁ ତାଙ୍କ ମାମୁ ଘର କେଉଁଠି । ଆଗରୁ କେବେ ତ ସେ କହି ନ ଥିଲେ । ଏବେ ନିର୍ବାଚନ ଆସିବାରୁ କହୁଛନ୍ତି ନୂଆପଡା ମୋ ମାମୁଁ ଘର । କେହି ମାମୁଁ ଘର କିମ୍ବା କକା ଘର କହି ନିର୍ବାଚନ ଲଢେଇ କରେ ନାହିଁ । ନିର୍ବାଚନ ବିକାଶ ପ୍ରସଙ୍ଗକୁ ନେଇ ଲଢାଯାଏ । ବିଜେଡିର ରଣନୀତି ଫେଲ୍ ମାରିବ ଏବଂ ବିଜେପି ନୂଆପଡା ଉପ ନିର୍ବାଚନ ଜିତିବ ।
Also read: ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡା; ନାମାଙ୍କନ ଭରିବାର ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ସ୍ନେହାଙ୍ଗିନୀ