ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ନାମାଙ୍କନ ଭରିବାର ଶେଷ ତାରିଖ ଥିବା ବେଳେ ସେ ଏକ ଏକ ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହାପୂର୍ବରୁ ସେ ମାଆ ଦୂର୍ଗାଙ୍କର ଦର୍ଶନ କରିଥିଲେ।
ନୂଆପଡ଼ା ଉପ ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପ୍ରମୁଖ ତିନି ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି । ଗତକାଲି ନୂଆପଡା ଟାନୱାଟ ଗାଁର ଅଧିଷ୍ଠାତ୍ରୀ ଦେବି କଣାଭଇରା ମା'ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି BJDର ପୁରୁଖା ଗାଁ ନେତା ମୁଖିଆଙ୍କ ସହିତ ଜନସମ୍ପର୍କ ଆରମ୍ଭ କରିଛନ୍ତି। ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ନୂଆପଡ଼ାର ଗାଁ ଗାଁରେ ବୁଲିଲେଣି। ବିଜେପି ୧୫ ମାସର ସଫଳତାକୁ ପ୍ରସଙ୍ଗ କରିଥିବାବେଳେ କଂଗ୍ରେସ ଆଇନଶୃଂଖଳାକୁ ପ୍ରସଙ୍ଗ କରିଛି। ବିଜେଡି ମଧ୍ୟ ନୂଆପଡ଼ା ପାଇଁ ରଣନୀତି କରୁଛି। ଆଗକୁ ନୂଆପଡ଼ାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ ବହୁ ତାରକା ପ୍ରଚାରକ ଆସିବାକୁ ଥିବାରୁ, ପ୍ରଚାର ମଇଦାନ ଆହୁରି ସରଗରମ ହେବ ବୋଲି ଜଣାଯାଇଛି। ଏହାରିଭିତରେ ଗତ ୧୮ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଉପ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ। ୧୬ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ନୂଆପଡାରେ ୩୫୮ଟି ମତଦାନ କେନ୍ଦ୍ର ରହିଛି। ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ। ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ନଭେମ୍ବର ୧୧ (ମଙ୍ଗଳବାର) ତାରିଖ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ। ଅନ୍ୟପକ୍ଷରେ ମାଓବାଦୀ ପ୍ରବଣ ଅଞ୍ଚଳର ୪୭ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ନଭେମ୍ବର ୧୬ ( ରବିବାର) ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।