ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କମ୍ପୁଛି ରାଜ ରାସ୍ତା । ଶନିବାର ଉଭୟ କଂଗ୍ରେସ ଓ ବିଜେପିର ଶକ୍ତି ପ୍ରଦର୍ଶନ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଜୟ ଢୋଲକିଆ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଥିଲେ । ବହୁ ବରିଷ୍ଠ ନେତୃବୃନ୍ଦ ଜୟଙ୍କ ଶୋଭାଯାତ୍ରା ସାମିଲ ହୋଇଥିଲେ । ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରବି ନାଏକ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ସାଂସଦ ମାଳବିକା ଦେବୀ, ଜିଲ୍ଲା ବିଜେପି ସଭାପତି କମଲେଶ ଦୀକ୍ଷିତଙ୍କ ସମେତ ଅନ୍ୟ ସମସ୍ତ ନେତୃବୃନ୍ଦ ଗଣ ଏଵଂ ବହୁ ବିଜେପି କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ ।
ସେହିପରି ଘାସିରାମ ମଧ୍ୟ ପଛରେ ପଡ଼ିନଥିଲେ । ଘାସିରାମ ଦୁଇ ସେଟ୍ ନାମାଙ୍କନ ପତ୍ର ଭରିଛନ୍ତି । ହଜାର ହଜାର ସଂଖ୍ୟାରେ କର୍ମକର୍ତ୍ତାଙ୍କ ସହିତ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ । ସେହିପରି ଶୋଭାଯାତ୍ରାରେ ପିସିସିଙ୍କ ବ୍ୟତୀତ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ ।