ଭୁବନେଶ୍ୱର: ତିନି ଦିନ ବ୍ୟାପୀ ଚାଲିଥିବା ଓଡ଼ିଶାର ଗଣପର୍ବ ରଜ ଉତ୍ସବ ଶେଷ ପର୍ଯ୍ୟାୟରେ ପହଁଚିଛି । ରାତି ପାହିଲେ ଶେଷ ହୋଇଯିବ ରଜ । ଏହି ତିନି ଦିନ ପିଠା ପଣା, ପାନ ଖିଆ ସାଙ୍ଗକୁ ଦୋଳି ଖେଳ ଏବଂ ବୁଲାବୁଲି ବେଶ ଜମିଛି । ତେବେ ଚଳିତ ବର୍ଷ ରଜରେ ନନ୍ଦନକାନନ ଉଦ୍ୟାନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି । ପ୍ରାୟ ୮୩ ହଜାରରୁ ଉର୍ଦ୍ଧ୍ଵ ପର୍ଯ୍ୟଟକ ଉଭୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ବୁଲି ଆସି ମଜା ନେଇଛନ୍ତି ।
ରଜ ତୃତୀୟ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୮୧୩୪ ପର୍ଯ୍ୟଟକ ଆସିଛନ୍ତି । ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନ ବା ବଟାନିକାଲ୍ ଗାର୍ଡେନକୁ ୧୨୭୪ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି । ଗତକାଲି ଦ୍ୱିତୀୟ ଦିନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଟିକେଟ୍ ବୁକିଂ କରିଥିଲେ । ଦ୍ୱିତୀୟ ଦିନରେ ମୋଟ ୩୯,୫୮୨ ଜଣ ପର୍ଯ୍ୟଟକ ଆସିଥିଲେ । ସେଥିମଧ୍ୟରୁ ପ୍ରାଣୀ ଉଦ୍ୟାନକୁ ୩୭,୧୦୮ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୨,୪୭୪ ଜଣ ଆସିଥିଲେ । ଏ ନେଇ ନନ୍ଦନକାନନ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।
ସେହିପରି ପ୍ରଥମ ଦିନରେ ପ୍ରଥମ ଦିନରେ ନନ୍ଦନକାନନରେ ୨୪,୮୫୬ ଜଣ ଆସିଥିଲେ । ମୋଟ ତିନି ଦିନରେ ପ୍ରାଣୀ ଉଦ୍ୟାନ ଏବଂ ଉଦ୍ଭିଦ ଉଦ୍ୟାନକୁ ମୋଟ ୮୩,୮୪୬ ଜଣ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି ।
ତେବେ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଭିଡ଼ ପରିଚାଳନା ପାଇଁ ୧୦୬ ଜଣ ସୁରକ୍ଷା କର୍ମୀ ଏବଂ ୩୨ ଜଣ ସ୍ୱେଚ୍ଛାସେବକଙ୍କୁ ନିୟୋଜିତ କରାଯିବା ସହିତ ୩୨ଟି ପାନୀୟ ଜଳ ଷ୍ଟଲ ଖୋଲାଯାଇଥିଲା । ଏହା ସହିତ ରଜର ଦ୍ୱିତୀୟ ଦିନରେ ଏକ ପେଡ୍ ମା କେ ନାମକୁ ପ୍ରୋତ୍ସାହିତ କରିବାକୁ ଷ୍ଟଲ୍ ଖୋଲାଯାଇଥିଲା । ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନର ଏକାଧିକ ସ୍ଥାନରେ ଦୋଳିର ବ୍ୟବସ୍ଥା କରାଯାଇଥିଲା ।