ଆଗରୁ ରଜକୁ ମନଭରି ଉପଭୋଗ କରିବା ପାଇଁ ଦିନବେଳୁ ରୋଷେଇବାସ ସାରି ଦେଇ ସନ୍ଧ୍ୟା ପୂର୍ବରୁ ଖିଆପିଆ କରୁଥିଲେ। ଦିନରେ ଅଧିକାଂଶ କାମ କରିବାକୁ ରଜରେ ବାରଣ କରାଯାଉଥିଲା । ମହିଳାମାନେ ସଜବାଜ ହୋଇ ମଉଜ କରିବା ଉଦ୍ଦେଶ୍ୟରେ ତାଙ୍କୁ ଘର କାମରୁ ଟିକେ ଆଶ୍ବସ୍ତି ଦିଆଯାଉଥିଲା । ମାତ୍ର ଏକୁଟିଆ ଘରେ ମହିଳାମାନେ କାମ ନକଲେ ନଚଳେ, ତେଣୁ ଏଭଳି ସମସ୍ୟାରେ ଥିବା ମହିଳାମାନଙ୍କ ପାଇଁ ଏବେ ସହାୟ ହେଉଛି ଅନଲାଇନ୍ ସପିଙ୍ଗ୍ ।ଗ୍ରେସରୀ, ପରିବା ଠାରୁ ଆରମ୍ଭ କରି ଲୁଗାପଟା, ଖାଦ୍ୟ ସାମଗ୍ରୀ, ଏପରିକି ପିଠାପଣା, ମନ୍ଦିର ପ୍ରସାଦ ଆଦି ଅନଲାଇନ୍ ରେ ଆସି ପହଞ୍ଚିଯାଉଛି ।
ରଜ ପର୍ବକୁ ସମସ୍ତେ ଏବେ ଖୁବ୍ ଧୁମଧାମର ସହିତ ପାଳନ କରୁଛନ୍ତି । ମହିଳା ଓ ଝିଅମାନେ ସଜବାଜ ହୋଇ ରଜକୁ ଭରପୁର ଉପଭୋଗ କରୁଥିବା ବେଳେ ପୁରୁଷ ଲୋକମାନେ ମଧ୍ୟ ଏହି ପର୍ବକୁ ଖୁସିମସୁଗୁଳରେ ପାଳନ କରୁଛନ୍ତି । ବିଶେଷ କରି ମହିଳାମାନେ ରୋଷେଇ କାମରୁ ଫ୍ରି ହବା ପାଇଁ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି। ଅନଲାଇନରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ମଗାଇ ଦେଉଛନ୍ତି। ଆଉ ଅର୍ଡର କରିବାର ମାତ୍ର ୧୦ରୁ ୧୫ ମିନିଟ୍ ଭିତରେ ଘର ପାଖରେ ଆସି ପହଞ୍ଚି ଯାଉଛି ସେସବୁ ଜିନିଷ। ରାଜଧାନୀରେ ମହିଳାମାନେ କାମରୁ ମୁକ୍ତି ପାଇଁ ବିଗ୍ବାସ୍କେଟ୍, ବ୍ଲିକ୍ଇଟ୍, ଜିଓ ମାର୍ଟ ଆଦିରୁ ଘର ପାଇଁ ବିଭିନ୍ନ ସାମଗ୍ରୀ ମଗାଇ ଦେଉଛନ୍ତି। ଜିନିଷ ସବୁ ମାତ୍ର ୧୦ ମିନିଟ୍ରେ ଘରେ ଆସି ପହଞ୍ଚି ଯାଉଛି।
ସହରରେ ଥିବା ବିଭିନ୍ନ ମନ୍ଦିରର ପ୍ରସାଦ ଅନଲାଇନରେ ମିଳୁଥିବା ବେଳେ ବଡ଼ ବଡ଼ ହୋଟେଲର ଖାଇବା ବି ଅନଲାଇନରେ ମିଳିଯାଉଛି । ଫଳରେ ମହିଳାମାନଙ୍କୁ ରୋଷେଇରୁ ମୁକ୍ତି ହେଉଥିବା ବେଳେ ବାହାର କାମରୁ ମଧ୍ୟ ଟିକେ ଫୁରସତ୍ ପାଇଛନ୍ତି। ଫଳରେ ପର୍ବକୁ ଉତ୍ସାହର ସହିତ ପାଳନ କରିବାର ସୁଯୋଗ ମିଳିପାରୁଛି।