ଗୁଜରାଟ: କଥାରେ ଅଛି ‘ରଖେ ହରି ତ ମାରେ କିଏ’; ଏକଥା ପ୍ରମାଣିତ ହୋଇଛି ବିଶ୍ୱାସ କୁମାର ରମେଶଙ୍କ ଠାରେ। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବିଶ୍ୱାସ କୁମାର ରମେଶ ଏକମାତ୍ର ଯାତ୍ରୀ ଯିଏ ବଞ୍ଚି ଯାଇଥିଲେ। ବିମାନରେ ଥିବା ବାକି ୨୪୧ ଜଣଙ୍କ ମୃତ୍ୟୁ ଘଟିଥିଲା।ବିଶ୍ୱାସ କୁମାରଙ୍କ ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଦୁର୍ଘଟଣାସ୍ଥଳରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଭିଡିଓଟି ଦୁର୍ଘଟଣାର ଭୟାବହତା ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଚିତ୍କାର ବିଷୟରେ ସବୁକିଛି ବର୍ଣ୍ଣନା କରୁଛି।
ଧୂଆଁ ଆକାଶକୁ ଅନ୍ଧାର କରିଦେଉଥିଲା। ନିଆଁ ଏମିତି ଜଳୁଥିଲା, ପବନ ବି ପୋଡ଼ିଯାଉଥିଲା। ଆଖି ଆଗରେ ଜଳିଚାଲିଥିଲେ ଜଣେ ଜଣେ ମଣିଷ। ମୃତ୍ୟୁର ମହାତାଣ୍ଡବ ଭିତରେ ସେ କିନ୍ତୁ ସାଜିଥିଲେ ମହାବିଜୟୀ। ମୃତ୍ୟୁ ଭିତରେ ଲୁଚିଥିବା ଜୀବନକୁ ଖୋଜି ଖୋଜି ମରଣ ଦୁଆରୁ ଲେଉଟି ଆସିଥିଲେ ବିଶ୍ୱାସ ରମେଶ । ଆଉ ବିଶ୍ୱାସ ରମେଶଙ୍କୁ ଦେଖିବା ପରେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ନିଜ ସହିତ ନେଇଯାଉଥିବା ଦେଖିବାକୁ ମିଳୁଛି । ସାଗର ପଟୋଲିଆ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ଜୁନ ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୧୭୧ ଡ୍ରିମଲାଇନର୍ ୭୮୭ ବିମାନ ଅହମ୍ମଦାବାଦର ବିଜେ ମେଡିକାଲ କଲେଜର ହଷ୍ଟେଲ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ସେହି ଦୁର୍ଘଟଣାରୁ ବିଶ୍ୱାସ କୁମାର ବଞ୍ଚି ରହିବାକୁ ଏକ ‘ଚମତ୍କାର’ ବୋଲି ବର୍ଣ୍ଣନା କରାଯାଉଛି।
ଏୟାର ଇଣ୍ଡିଆର ବିମାନ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ ପାଇଁ ଉଡ଼ାଣ ଭରିଥିଲା। ବିଶ୍ୱାସ କୁମାର ରମେଶ ସିଟ ନମ୍ବର 11A ରେ ବସିଥିଲେ। ବିମାନଟି ଉଡ଼ାଣ ଆରମ୍ଭ କରି କିଛି ସେକେଣ୍ଡ ମଧ୍ୟରେ ବିଜେ ମେଡିକାଲ କଲେଜର ହଷ୍ଟେଲରେ ଧକ୍କା ଦେଇଥିଲା। ସିଟ ନମ୍ବର 11A ଜରୁରୀକାଳୀନ ପ୍ରସ୍ଥାନ ପାଖରେ ଥିଲା।