ନୂଆଦିଲ୍ଲୀ: ଜାତିସଂଘର ଆତଙ୍କବାଦ ବିରୋଧୀ ସଂସ୍ଥା ଏଫଏଟିଏଫ ଏପ୍ରିଲ ୨୨ ରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି। ଏଫଏଟିଏଫ କହିଛି ଯେ ବିନା ଆର୍ଥିକ ସହାୟତାରେ ଆତଙ୍କବାଦୀମାନେ ଏତେ ବଡ଼ ଆକ୍ରମଣ କରି ପାରିବେନି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି।
ଏଫଏଟିଏଫ କହିଛି ଯେ ଏପରି ଆତଙ୍କବାଦୀ ଆକ୍ରମଣ କେବଳ ବନ୍ଧୁକ ଏବଂ ଗୁଳିଗୋଳା ସାହାଯ୍ୟରେ କରାଯାଏ ନାହିଁ, ବରଂ ଏହା ପଛରେ ଏକ ଗଭୀର ଏବଂ ସଂଗଠିତ ଆର୍ଥିକ ନେଟୱର୍କ ଅଛି। ଆର୍ଥିକ ସହାୟତାରେ ଆତଙ୍କବାଦକୁ ଜୀବିତ ରଖାଯାଉଛି। ଏଫଏଟିଏଫ ଟେରର ଫଣ୍ଡିଂର ମୁକାବିଲା ପାଇଁ ରୂପରେଖ ପ୍ରସ୍ତୁତ କରିବା ଓ ବିଭିନ୍ନ ଦେଶ ପକ୍ଷରୁ ହେଉଥିବା ବିଭିନ୍ନ ପଦକ୍ଷେପ ଉପରେ ବିଚାର କରିଥାଏ। ଯେ ପର୍ଯ୍ୟନ୍ତ ଆତଙ୍କବାଦ ଉପରେ ଅର୍ଥ ଖର୍ଚ୍ଚ କରାଯାଉଥିବ ସେ ପର୍ଯ୍ୟନ୍ତ ଆତଙ୍କବାଦର ଚେହେରା ବଦଳି ଚାଲିଥିବ ବୋଲି ଏଫଏଟିଏଫ କହିଛି।
ଗତ କିଛି ବର୍ଷ ଧରି, ଏଫଏଟିଏଫ ବିଶ୍ୱର ୨୦୦ରୁ ଅଧିକ ଦେଶକୁ ଆତଙ୍କବାଦ ଫଣ୍ଡିଂର ମୁକାବିଲା ପାଇଁ ମାର୍ଗଦର୍ଶିକା ଦେଇ ଆସୁଛି। ଏଥିରେ ଏଫଏଟିଏଫ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ନଜର ରଖିବା, ସୋସିଆଲ ମିଡିଆ, କ୍ରାଉଡ୍ ଫଣ୍ଡିଂ କିମ୍ବା କ୍ରିପ୍ଟୋ ଭଳି ନୂତନ ପ୍ରଯୁକ୍ତିର ଅପବ୍ୟବହାର ସହିତ ଜଡିତ ଚେତାବନୀ ସାମିଲ।
ଏପ୍ରିଲ ୨୨ରେ କାଶ୍ମୀରର ବୈସାରଣ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।ଏହା ପରେ ଭାରତ ମେ ୬ ବିଳମ୍ବିତ ରାତିରେ ଅପରେସନ ସିନ୍ଦୁର ଜରିଆରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ) ସ୍ଥିତ ୯ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଆରମ୍ଭ ହୋଇଥିଲା। ଭାରତ ପାକିସ୍ତାନର ଡ୍ରୋନ ଓ ମିସାଇଲ ଆକ୍ରମଣକୁ ପଣ୍ଡ କରିବା ସହ ଅନେକ ପାକିସ୍ତାନୀ ଏୟାର ବେସ୍ ଉପରେ ଆକ୍ରମଣ କରିଥିଲା। ଏହା ପରେ ମେ ୧୦ରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଥିଲା।