ନିକୋସିଆ: ସାଇପ୍ରସର ରାଜଧାନୀ ନିକୋସିଆରେ ରବିବାର ଭାରତ-ସାଇପ୍ରସ୍ ସିଇଓ ଫୋରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ଏହା ୨୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସରକାରୀ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଆର୍ଥିକ ପ୍ରଗତି, ଡିଜିଟାଲ୍ ବିପ୍ଳବ ଏବଂ ସାଇପ୍ରସ ସହିତ ସହଯୋଗକୁ ଆହୁରି ମଜବୁତ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ସାଇପ୍ରସ ମଧ୍ୟରେ ୧୫୦ ନିୟୁତ ଡଲାରର ବାଣିଜ୍ୟ ଅଛି। କିନ୍ତୁ ପ୍ରକୃତ ସମ୍ଭାବନା ଏହାଠାରୁ ବହୁତ ଅଧିକ। ସାଇପ୍ରସ୍ ଭାରତର ଏକ ବିଶ୍ୱସ୍ତ ଅଂଶୀଦାର ହୋଇଆସିଛି। ଭାରତରେ ଏଠାରୁ ନିବେଶ କରାଯାଇଛି ଏବଂ ଅନେକ ଭାରତୀୟ କମ୍ପାନୀ ସାଇପ୍ରସରେ ସେମାନଙ୍କର ଉପସ୍ଥିତି ପଞ୍ଜୀକୃତ କରିଛନ୍ତି। ସାଇପ୍ରସକୁ ୟୁରୋପର ପ୍ରବେଶ ଦ୍ୱାର ମଧ୍ୟ କୁହାଯାଏ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଭାରତ ବହୁତ ଶୀଘ୍ର ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଗତ ଦଶନ୍ଧିରେ ଭାରତ ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି। ଏବେ ଆମେ ଦ୍ରୁତ ଗତିରେ ତୃତୀୟ ସ୍ଥାନ ଆଡକୁ ଗତି କରୁଛୁ।
ଭାରତରେ ଡିଜିଟାଲ ବିପ୍ଳବ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଆଜି ବିଶ୍ୱର ୫୦% ଡିଜିଟାଲ କାରବାର ଭାରତରେ ୟୁପିଆଇ ମାଧ୍ୟମରେ ହେଉଛି। ଆମେ ଫ୍ରାନ୍ସ ଭଳି ଦେଶକୁ ସଂଯୋଗ କରିଛୁ ଏବଂ ଏବେ ସାଇପ୍ରସ ସହିତ ମଧ୍ୟ ୟୁପିଆଇ ସଂଯୋଗ କରିବା ବିଷୟରେ ଆଲୋଚନା ହେଉଛି। ମୁଁ ଏହାକୁ ସ୍ୱାଗତ କରୁଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ପ୍ରତିବର୍ଷ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ବିଲିୟନ ଡଲାରରୁ ଅଧିକ ନିବେଶ କରୁଛି। ଏହି ବର୍ଷର ବଜେଟରେ ଏକ ନୂତନ ଉତ୍ପାଦନ ମିଶନ ଆରମ୍ଭ କରାଯାଇଛି। ଆମେ ସାମୁଦ୍ରିକ ଏବଂ ବନ୍ଦର ବିକାଶ, ଜାହାଜ ନିର୍ମାଣ ଏବଂ ବେସାମରିକ ବିମାନ ଚଳାଚଳ ଭଳି କ୍ଷେତ୍ରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଉଛୁ। ଆମର ୧ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ କମ୍ପାନୀ କେବଳ ସ୍ୱପ୍ନ ନୁହେଁ, ସମାଧାନ ବିକ୍ରୟ କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ଜିଆଇଏଫ୍ଟି ସିଟିରେ ସାଇପ୍ରସ୍ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ସହଯୋଗ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିବାରୁ ଖୁସି ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ବର୍ଷ ଶେଷ ସୁଦ୍ଧା ଚୁକ୍ତିନାମା ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସଙ୍କୁ ବିମାନବନ୍ଦରରେ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିବା ଏବଂ ବ୍ୟବସାୟ ନେତାମାନଙ୍କ ସହିତ ଏକ ବୈଠକ ଆୟୋଜନ କରିବା ପାଇଁ ବିଶେଷ ଭାବରେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଉଛି ଯେ ସେ ମୋତେ ସ୍ୱାଗତ କରିବା ପାଇଁ ବ୍ୟକ୍ତିଗତ ଭାବରେ ବିମାନବନ୍ଦରକୁ ଆସିଥିଲେ ଏବଂ ବ୍ୟବସାୟ ନେତାମାନଙ୍କ ସହିତ ଏକ ବଡ଼ ବୈଠକ ଆୟୋଜନ କରିଥିଲେ।
ଅଧିକ ପଢ଼ନ୍ତୁ: ବନ୍ଧୁଙ୍କ ପରିଚିତ ଝିଅଙ୍କୁ ଫସାଉଥିଲା ଫରହାନ