ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ ଦେଇଛନ୍ତି । ସେ ଇରାନକୁ କଡା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଆମେରିକା ଉପରେ କୌଣସି ପ୍ରକାରର ହମଲା କରେ, ତେବେ ଆମେରିକା ସେନା ଏମିତି ସ୍ତରରେ ଜବାବ ଦେବେ ଯେ, ଦୁନିଆ କେବେ ପୂର୍ବରୁ ଦେଖି ନ ଥିବ । ଟ୍ରମ୍ପ କହିଛନ୍ତି ଶନିବାର ରାତିରେ ଇରାନ ଉପରେ ଇସ୍ରାଏଲ ଦ୍ୱାରା ହୋଇଥିବା ହମଲାରେ ଆମେରିକାର କୌଣସି ପ୍ରକାରର ଭୂମିକା ନାହିଁ । ଏଥିପାଇଁ ଆମେରିକା ଉପରେ କୌଣସି ପ୍ରକାରର ହମଲା ଗମ୍ଭୀର ପରିଣାମକୁ ଜନ୍ମ ଦେବ ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଆମେ ସହଜରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଏକ ରାଜିନାମା କରି ପାରିବୁ । ଏଥିରେ ଏହି ରକ୍ତାକ୍ତ ସଂଘର୍ଷର ଅନ୍ତ ଘଟିପାରେ । ଟ୍ରମ୍ପ ନିଜର ଏହି ବୟାନ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ପୋଷ୍ଟ କରି ଦେଇଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ଶନିବାର ରାତିରେ ଇସ୍ରାଏଲ ଇରାନ ଉପରେ ବଡ ଧରଣର ହମଲା କରିଥିଲା ।
ଏହି ହମଲାରେ ଇସ୍ରାଏଲ ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ, ପାୱାର ପ୍ଲାଣ୍ଟ ଓ ଆଣବିକ କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଏହି ହମଲା ଲଗାତାର ତୃତୀୟ ରାତି ଅପରେସନ ରାଇଜିଂ ଲାୟନ ଆଧାରରେ କରାଯାଇଛି ।
ଏହା ବ୍ୟତୀତ ଇସ୍ରାଏଲର ରକ୍ଷା ବଳ(ଆଇଡିଏଫ) କହିଛି ଯେ, ତେହେରାନ ସ୍ଥିତ ସେହି କେନ୍ଦ୍ର ଉପରେ ଆକ୍ରମଣ କରାଯାଇଛି ଯେଉଁଠି ଇରାନ ଆଣବିକ ଅସ୍ତ୍ର ଶସ୍ତ୍ର ପ୍ରସ୍ତୁତ କରୁଥିଲା । ଏହି ହମଲା ପରେ ଜେରୁସେଲମ ଓ ତେଲ ଅଭିଭରେ ସାଇରନ ବାଜିବାରେ ଲାଗିଲା ।
ତେବେ ଟ୍ରମ୍ପଙ୍କ ଉପରୋକ୍ତ ଚେତାବନୀ ପୂର୍ବରୁ ଇରାନ ଆମେରିକା ସହିତ ଓମାନରେ ହେବାକୁ ଥିବା ପରମାଣୁ ବାର୍ତ୍ତାକୁ ରଦ୍ଦ କରି ଦେଇଛି । ଟ୍ରମ୍ପ ଶୁକ୍ରବାର ଇରାନକୁ ଅପିଲ୍ କରିଥିଲେ ଯେ, ଆମେରିକା ସହିତ ଆଣବିକ ଚୁକ୍ତିନାମା କରୁ । ଅନ୍ୟପଟେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ୍ସ ଦାବି କରିଛନ୍ତି ଯେ, ଇରାନର ମିସାଇଲ ଓ ଡ୍ରୋନ ଇସ୍ରାଏଲର ଉର୍ଜା ପ୍ଲାଣ୍ଟ ଓ ସେହି ସ୍ଥାନକୁ ଟାର୍ଗେଟ୍ କରିଛି ଯେଉଁଠି ଲଢୁଆ ବିମାନ ପାଇଁ ଇନ୍ଧନ ପ୍ରସ୍ତୁତ କରାଯାଏ ।