ନୂଆଦିଲ୍ଲୀ: ଇସ୍ରାଏଲ ଲଗାତାର ଇରାନ ଉପରେ ଏୟାର ଷ୍ଟ୍ରାଇକ କରି ଚାଲିଛି । ଇରାନୀ ସମାଚାର ଏଜେନ୍ସି ଅନୁଯାୟୀ, ଶନିବାର ଇସ୍ରାଏଲର ଏକ ଡ୍ରୋନ ଇରାନର ସାଉଥ ପାରସ ଗ୍ୟାସ ଅଞ୍ଚଳରେ ସ୍ଥିତ ଏକ ରିଫାଇନାରୀ ଉପରେ ହମଲା କରିଛି । ଏହି ଘଟଣାର ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ଯଦି ଏହି ଘଟଣାର ସତ୍ୟତା ଥାଏ ତେବେ ଇରାନର ତୈଳ ଓ ପ୍ରାକୃତିକ ଗ୍ୟାସ ଉଦ୍ୟୋଗ ଉପରେ ଇସ୍ରାଏଲର ଏହା ପ୍ରଥମ ଆକ୍ରମଣ ହେବ । ଏହି ଆକ୍ରମଣ ନେଇ ଇସ୍ରାଏଲ ପକ୍ଷରୁ ଅଦ୍ୟାବଧି କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ଇରାନ କହୁଛି ତାର ରିଫାଇନାରୀ ଉପରେ ହମଲା ହୋଇଛି । ଏମିତି କ୍ଷେତ୍ର ଆଖପାଖରେ ଏୟାର ଡିଫେନ୍ସ ସିଷ୍ଟମ ରହିଥାଏ, ଯାହାକୁ ଇସ୍ରାଏଲ ଶୁକ୍ରବାରଠୁ ଟାର୍ଗେଟ୍ କରି ଆସିଛି । ଉକ୍ତ ଅଞ୍ଚଳରେ ଇରାନ ସହିତ କାତାରର ଗ୍ୟାସ ଭାଗିଦାରୀ ରହିଛି । ଏହା ଫାରସ ସାଗରୀୟ ଅଞ୍ଚଳରେ ବ୍ୟାପିଛି । ଯଦି ତେଲ ରିଫାଇନାରୀ ଉପରେ ହମଲା ହୋଇଛି ତେବେ ଉତ୍ତେଜନା ଆହୁରି ବଢିପାରେ ।
ଇସ୍ରାଏଲ ସେନା କହିଛି, ଇସ୍ରାଏଲର ବାୟୁସେନା ଇରାନର ରାଜଧାନୀ ତେହେରାନ ଉପରେ ଉଡାଣ ଭରିବାର କ୍ଷମତା ପାଇ ଯାଇଛି । ଇରାନର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିବା ପରେ ଏହା ସମ୍ଭବ ହୋଇ ପାରିଛି । ଶୁକ୍ରବାର ରାତିରେ ଇରାନର ଡିଫେନ୍ସ ସିଷ୍ଟମକୁ ହମଲା କରି ଧ୍ୱଂସ କରାଯାଇଛି । ଏହି କାରଣରୁ ଇସ୍ରାଏଲର ୨୦୦ ଲଢୁଆ ବିମାନ ଇରାନର ଆଣବିକ ପ୍ରତିଷ୍ଠାନ ଓ ସାମରିକ କେନ୍ଦ୍ର ଉପରେ ପ୍ରଭାବଶାଳୀ ଆକ୍ରମଣ କରି ପାରିଛି । ଇସ୍ରାଏଲ ସେନାକୁ କୌଣସି ପ୍ରତିରୋଧର ସାମ୍ନା କରିବାକୁ ପଡିନି ।
ଇସ୍ରାଏଲର ସେନା ଇସ୍ରାଏଲର ଦୁଇଟି ଏଫ-୩୫ ବିମାନକୁ ମାରି ଖସାଇଥିବା ଇରାନର ଦାବିକୁ ଭୁଲ୍ ବୋଲି କହିଛନ୍ତି । ଇସ୍ରାଏଲର ସମସ୍ତ ଲଢୁଆ ବିମାନ ଲକ୍ଷ୍ୟକୁ ପ୍ରାପ୍ତ କରି ସୁରକ୍ଷିତ ଫେରି ଆସିଛନ୍ତି । ଇସ୍ରାଏଲ ସେନାର ମୁଖପାତ୍ର ବ୍ରିଗେଡିୟର ଏଫ ଡଫରିନ ଶନିବାର ଏହି ସୂଚନା ଦେଇଛନ୍ତି । ନିଜର ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ ଜାରି ରହିବ ବୋଲି ସେ କହିଛନ୍ତି ।