ନୂଆଦିଲ୍ଲୀ: ଆମେରିକାର ମିନେସୋଟା ରାଜ୍ୟରେ ଦୁଇ ଡେମୋକ୍ରାଟିକ ସାଂସଦଙ୍କୁ ଶନିବାର ସକାଳେ ଗୁଳି କରି ହତ୍ୟା କରାଯାଇଛି । ସାଂସଦ ମେଲିସା ହର୍ଟ ମ୍ୟାନ ଓ ତାଙ୍କ ପତି ଗୁଳିର ଶିକାର ହୋଇଛନ୍ତି । ଚ୍ୟାମ୍ପଲିନର ମେୟର ରୟାନ ସବାସ ଏହି ସୂଚନା ଦେଇଛନ୍ତି । ଆଉ ଏକ ଘଟଣାରେ ସାଂସଦ ଜନ ହଫମ୍ୟାନଙ୍କ ସହିତ ତାଙ୍କ ପତ୍ନୀ ୟେବେଟଙ୍କୁ ମଧ୍ୟ ଗୁଳି କରାଯାଇଛି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାର ଘୋର ନିନ୍ଦା କରିଛନ୍ତି । ସାଂସଦଙ୍କୁ ଟାର୍ଗେଟ୍ କରି ଏହି ହମଲା କରାଯାଇଛି । ଆମେରିକାରେ ଏମିତି ହିଂସାର କୌଣସି ସ୍ଥାନ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।
ମିନସୋଟାର ରାଜ୍ୟପାଳ ଟିନ ୱାଲଜ ଘଟଣାର ସୂଚନା ଦେଇ କହିଛନ୍ତି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ଦୁଇ ସାଂସଦଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ପୋଲିସ ଗମ୍ଭୀରତାର ସହ ଘଟଣାର ତଦନ୍ତ କରୁଛନ୍ତି । ପୋଲିସ କହିଛି ଯେ, ଦୁଇ ସାଂସଦଙ୍କ ଘର ପରସ୍ପରଠୁ କିଛି କିମି ଦୂରରେ ଅବସ୍ଥିତ । ମେଲିସା ହାର୍ଟମ୍ୟାନ ଓ ତାଙ୍କ ସ୍ୱାମୀ ମାର୍କଙ୍କ ଉପରେ ବ୍ରୁକଲିନ ପାର୍ଟ ଅଞ୍ଚଳରେ ହମଲା ହୋଇଛି । ଏହି ଆକ୍ରମଣରେ ଦୁହିଁଙ୍କ ପ୍ରାଣହାନୀ ଘଟିଛି । ସାଂସଦ ଜନ ହଫମ୍ୟାନଙ୍କ ସହିତ ତାଙ୍କ ପତ୍ନୀ ୟେବେଟଙ୍କୁ ମଧ୍ୟ ଗୁଳି କରାଯାଇଛି । ଉଭୟଙ୍କ ଚିକିତ୍ସା ଜାରି ରହିଛି ।
ପୋଲିସ ଅନୁଯାୟୀ, ମେଲିସାଙ୍କ ଘର ଉପରେ ହୋଇଥିବା ଆକ୍ରମଣକାରୀ ପୋଲିସ ପୋଷାକରେ ଥିଲେ । ଆକ୍ରମଣକାରୀ ପୋଲିସ ପରି ଏକ ଜ୍ୟାକେଟ୍ ଏବଂ ବ୍ୟାଚ ପିନ୍ଧିଥିଲା । ଅଭିଯୁକ୍ତର କାର ଜବତ ହୋଇଛି ଏବଂ ତାର ସନ୍ଧାନ ଜାରି ରହିଛି । ସନ୍ଦିଗ୍ଧର ଜବତ କାରରୁ ଏକ ତାଲିକା ମିଳିଛି । ଏଥିରେ ମେଲିସା ହର୍ଟମ୍ୟାନ ଓ ଜନ ହଫମ୍ୟାନ ସମେତ ଅନେକ ସାଂସଦଙ୍କ ନାଁ ରହିଛି । ଏଥିରୁ ଆଶଙ୍କା କରାଯାଉଛି ଯେ, ତାଲିକାରେ ଥିବା ଅନ୍ୟ ସାଂସଦଙ୍କ ଉପରେ ମଧ୍ୟ ହମଲା ହୋଇପାରେ । ତାଲିକାରେ ଯେଉଁ ମାନଙ୍କ ନାଁ ରହିଛି ମେମାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି ।