ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଦୁନିଆକୁ ଦୁଇଟି ଗୋଷ୍ଠୀରେ ବିଭାଜନ କରି ଦେଇଛି । ଦୁନିଆର ଅସ୍ଥିତ୍ୱ ବଞ୍ଚାଇବା ପାଇଁ ସେ ଇରାନ ଉପରେ ହମଲା କରିଥିବା ଦାବି କରିଛି ଇସ୍ରାଏଲ । ଇରାନ ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରିବାର ନିକଟତର ଥିଲା । ତେଣୁ ଏହାକୁ ରୋକିବା ଜରୁରୀ ଥିଲା । ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଉପରେ ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ ଓ ଇଟାଲୀ ପରି ଦେଶ ଖୋଲାଖୋଲି ଇସ୍ରାଏଲର ସମର୍ଥନ କରିଥିବା ବେଳେ ଚୀନ, ୟମନ, ଇରାକ ପରି ଦେଶ ଇରାନର ସମର୍ଥନରେ ଛିଡା ହୋଇଛନ୍ତି ।
ଅନ୍ୟପଟେ ଶନିବାର ଭାରତ କହିଛି ଯେ, ସେ ଇସ୍ରାଏଲ-ଇରାନର ସଂଘର୍ଷ ଉପରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ଆଲୋଚନାରେ ଭାଗ ନେଇ ନାହିଁ । ଏହି ସମୟରେ ଭାରତ ଉତ୍ତେଜନା କମ କରିବା ପାଇଁ ଆଲୋଚନା ଓ କୂଟନୀତି ବିକଳ୍ପ ଉପରେ ବିଚାର କରିବାକୁ ଅପିଲ୍ କରିଛି । ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି ଯେ, ଜୟଶଙ୍କର ଶୁକ୍ରବାର ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ଘଟଣାକ୍ରମ ଉପରେ ଅନ୍ତର୍ଜାତୀୟ ସମୁଦାୟର ଗଭୀର ଚିନ୍ତା ବିଷୟରେ ଅବଗତ କରାଇଛନ୍ତି ।
ଏମଇଏ କହିଛି ଯେ, ଏସସିଓ ଜୁନ ୧୩ରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ସଂଘର୍ଷ ଉପରେ ନିଜର ବୟାନ ଜାରି କରିଛି । ଏଥିରେ ଏସସିଓ ସଂଗଠନ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରାଯାଇଛି । ତେବେ ଭାରତର କହିବା କଥା ଆଲୋଚନା ଓ କୂଟନୀତି ଜରିଆରେ ବିବାଦର ସମାଧାନ ହେବା ଉଚିତ୍ । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଏସସିଓ ସଦସ୍ୟ ଦେଶକୁ ଅବଗତ କରାଯାଇଛି । ଇରାନ ଏସସିଓର ସଦସ୍ୟ ଦେଶ ।