ଭୁବନେଶ୍ୱର: ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା ବୈଠକ ଶେଷ ହୋଇଛି । ଏହି ବୈଠକ ଭୁବନେଶ୍ବର ଡିଜିପି କ୍ୟାମ୍ପ୍ ଅଫିସ୍ରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର ପି କୋଚେ, ADG ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ପରିବହନ କମିଶନର ADG ଅମିତାଭ ଠାକୁର, ADG ଦୟାଲ ଗଙ୍ଗୱାର , SIW DIG କନ୍ୱର ବିଶାଳ ସିଂହ, DIG STF ପିନାକ ମିଶ୍ର, ପୁରୀ ଏସପି ବିନିତ୍ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, "ରଥଯାତ୍ରା ସୁରକ୍ଷା ପାଇଁ ପ୍ରଥମ କରି ଏଆଇ କ୍ୟାମେରା ଲାଗିବ । ଇଣ୍ଟିଗ୍ରେଟେଡ୍ କମାଣ୍ଡ ବ୍ୟବସ୍ଥା ରହିବ । ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଉତ୍ତରା ଛକରୁ ପୁରୀ, ପୁରୀ ସହର ଏବଂ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ସିସିଟିଭି ଲଗାଯିବ । ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଭାବେ ଆପ ହେବ । ଭିଡ ନିୟନ୍ତ୍ରଣ ଓ ଦଳାଚକଟା ଭଳି ଅଘଟଣ ରୋକିବାକୁ ଏହି ଆପ ବ୍ୟବହାର କରାଯିବ । ଏହି ଆପ ସାହାଯ୍ୟରେ ଭକ୍ତମାନେ ପାର୍କିଂ ବ୍ୟବସ୍ଥା, ବଡ଼ଦାଣ୍ଡକୁ ରାସ୍ତା, ଭିଡ ବିଷୟରେ ଜାଣିପାରିବେ ।
ରଥଯାତ୍ରା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆତଙ୍କବାଦୀ ଆକ୍ରମଣ ନେଇ ମକଡ୍ରିଲ ଓ କଡ଼ା ସୁରକ୍ଷା ବଳୟ ଭିତରେ କିପରି ପୁରୀକୁ ରଖାଯିବ । ସେନେଇ ବୈଠକରେ ଆଲୋଚନା କରାଯାଇଛି । ଅର୍ବାନ ଟରୋରିଜିମ ମୁକାବିଲା ପାଇଁ ତାଲିମ ପ୍ରାପ୍ତ STU ମଧ୍ୟ ମୁତୟନ ହେବେ। ଏହା ସହ ସ୍ୱତନ୍ତ୍ର ବୁଲେଟ ପ୍ରୁଫ ରକ୍ଷକ ବାହନ ମଧ୍ୟ ସାମିଲ ହେବ।