ଭୁବନେଶ୍ୱର; ରଜ ଓଡ଼ିଶାର ଗଣପର୍ବ। ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ। ଆଜି ହେଉଛି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି। ରଜକୁ ତିନିଦିନ ଧରି ପାଳନ କରାଯାଉଥିବା ବେଳ ଏହାର ଦ୍ୱିତୀୟ ଦିନକୁ ମିଥୁନ ସଂକ୍ରାନ୍ତିରେ ପାଳନ କରାଯାଏ। ଏହା ପରେ ବର୍ଷାଋତୁ ଆରମ୍ଭ ହୁଏ।
ରଜ ଶଦ୍ଦର ଆକ୍ଷରିକ ଅର୍ଥ ହେଉଛି ରଜବତୀ ହେବା। ଯାହା ପୃଥିବୀକୁ ମାତା ଭାବେ ବିବେଚନା କରି ବର୍ଷାର ଆଗମନରେ ରଜସ୍ବଳା ହେବା ସହ ନୂଆ ଶସ୍ଯ ଜନ୍ମ ହେବାର ସଂକେତ ଦେଇଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳ-ଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ବିରତି ନେଇଥାନ୍ତି। ବିଶେଷ ରୂପେ ରଜ ପର୍ବରେ ପୋଡ ପିଠା ଓ ପାନ ଖାଇବା ସହ ଝିଅମାନଙ୍କ ରଜ ଦୋଳି, ପୁଚି ଖେଳ ସହିତ ପୁଅମାନେ ଲୁଡୁ, ତାସ୍, ବାଗୁଡି ଆଦି ଖେଳ ଖେଳି ରଜରେ ଖୁବ୍ ମଜା କରିଥାନ୍ତି।
ଏହି ପର୍ବ ପାଳନ ସମୟରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତିଥାନ୍ତି। କୁଆଁରୀ ଝିଅମାନେ ଏହି ତିନି ଦିନ ମଧ୍ଯରେ ଗଛରୁ ପତ୍ର ଟିଏ ମଧ୍ଯ ଛିଡାଇ ନଥାନ୍ତି। ଏଥିସହ ପିଠା ମଧ୍ଯ କାଟି ନଥାନ୍ତି। ଏହି ଦିନ ଧରିତ୍ରୀ ମାତାଙ୍କୁ ସମ୍ମାନ ଦେଇ ଭୂଇଁରେ ଖାଲି ପାଦରେ ଚାଲିନଥାନ୍ତି। ପରମ୍ପରା ଅନୁଯାୟୀ ଏହି ଦିନ ଭୂମି ଉପରେ ଖାଲି ପାଦରେ ଚାଲିବାକୁ ମନା କରାଯାଏ। କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ। ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୋଇଥାନ୍ତି। ଅଧିକାଂଶ ସମୟ ଝିଅମାନେ ଦୋଳି ଖେଳିଥାନ୍ତି। ଏହି ସମୟରେ ଜଣାଶୁଣା ରଜ ଗୀତ ମଧ୍ଯ ବୋଲାଯାଇଥାଏ, ଯାହା ଗାଁ ଗହଳି ଠାରୁ ଆରମ୍ଭ କରି ସହରରେ ସମସ୍ତ ଝିଅମାନେ ଦୋଳି ଖେଳିବା ସମୟରେ ବୋଲିଥାନ୍ତି।