ଯାଜପୁର ପରେ ଏବେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ଘାରିଲାଣି ଡାଇରିଆ ଚିନ୍ତା । ଯାଜପୁରରେ ଡାଇରିଆରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଜିଲ୍ଲାବାସୀ ରହିଛନ୍ତି । ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତିରେ ସୁଧାର ଆସୁଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ,"ଜିଲ୍ଲାରେ ନୂଆ ରୋଗୀଙ୍କ ସଂଖ୍ୟା କମିଛି"।
ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଡାଇରିଆ ବ୍ୟାପିଲାଣି ବୋଲି ସୂଚନା ମିଳିଛି । କେନ୍ଦ୍ରାପଡ଼ାରେ ଝାଡ଼ାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ କଟକ ଜିଲ୍ଲା ବାଙ୍କୀରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବାଙ୍କୀର ଘୋଳପୁର ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ପହଞ୍ଚିଲାଣି । ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ତଦନ୍ତ ପାଇଁ ଗାଁରେ ମେଡିକାଲ୍ ଟିମ୍ ପହଞ୍ଚିଛନ୍ତି । ଘୋଳପୁର ଗାଁରେ ଯେପରି ଡାଇରିଆ ନ ବ୍ୟାପିବ ସେଥିପାଇଁ ବ୍ୟବସ୍ଥା କରାଯାଉଛି । ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯାଉଛି । ପାଣିର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ କେଉଁ କାରଣରୁ ଡାଇରିଆ ବ୍ୟାପୁଛି ତାହା ସ୍ପଷ୍ଟ କରାଯିବ । ଭୟଭୀତ ନ ହୋଇ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।