ୱାଶିଂଟନ୍ ଡିସି: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଏକ ଚାଞ୍ଚଲ୍ୟକର ବୟାନ ଦେଇ ଦାବି କରିଛନ୍ତି ଯେ ଇରାନ ସରକାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ପରମାଣୁ କାର୍ଯ୍ୟକ୍ରମ ପାଇଁ ବିପଦ ବୋଲି ଭାବୁଛି ଏବଂ ସେଥି ପାଇଁ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଛି।
ନେତାନ୍ୟାହୁ କହିଛନ୍ତି, ଇରାନ ଦୃଷ୍ଟିରେ ଟ୍ରମ୍ପ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ। ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ନେତାନ୍ୟାହୁ କହିଛନ୍ତି, ସେମାନେ (ଇରାନ) ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହାଁନ୍ତି। ସେ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ। ଟ୍ରମ୍ପ୍ ଜଣେ ଦୃଢ଼ ଏବଂ ନିର୍ଣ୍ଣାୟକ ନେତା। ସେ ଇରାନ ସହିତ ବୁଝାମଣା କରିବା ପାଇଁ କେବେ ଦୁର୍ବଳତାର ପଥ ବାଛି ନଥିଲେ, ଯାହା ଇରାନକୁ ୟୁରାନିୟମ ସମୃଦ୍ଧ କରିବା ଏବଂ ପରମାଣୁ ବୋମା ତିଆରି କରିବାର ପଥ ସହଜ କରିଦେଇଥାନ୍ତା। ଟ୍ରମ୍ପ ସେହି ନକଲି ଚୁକ୍ତିକୁ ଚିରି ଦେଇଥିଲେ ଏବଂ କାସିମ ସୋଲେମାନୀଙ୍କୁ ହତ୍ୟା କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଅନୁମତି ଦିଆଯିବ ନାହିଁ। ତାଙ୍କର କଠୋରତା ଯୋଗୁଁ ସେ ଇରାନ ପାଇଁ ସବୁଠାରୁ ବଡ଼ ଶତ୍ରୁ ପାଲଟିଛନ୍ତି।"
ନେତାନ୍ୟାହୁ କହିଛନ୍ତି, ସେ ନିଜେ ମଧ୍ୟ ଇରାନର ଟାର୍ଗେଟରେ ଅଛନ୍ତି। ତାଙ୍କ ଘରର ଝରକା ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ନିଜକୁ ଟ୍ରମ୍ପଙ୍କ ଜୁନିୟର ପାର୍ଟନର ବୋଲି କହି ସେ କହିଛନ୍ତି ଯେ ସେମାନେ ଉଭୟେ ମିଶି ଇରାନର ପରମାଣୁ ଅସ୍ତ୍ର ତିଆରି ପ୍ରୟାସକୁ ରୋକି ଦେଉଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ‘ତୁରନ୍ତ ବିପଦ’ର ସମ୍ମୁଖୀନ ହେଉଛି ଏବଂ ଶେଷ ମୁହୂର୍ତ୍ତରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।
ସେ କହିଛନ୍ତି, ଆମେ ଦୁଇଟି ବଡ଼ ବିପଦର ସମ୍ମୁଖୀନ ହେଉଛୁ। ପ୍ରଥମତଃ, ଇରାନର ୟୁରାନିୟମ ସମୃଦ୍ଧ କରି ପରମାଣୁ ବୋମା ତିଆରି କରିବାର ପ୍ରୟାସ। ଏହାର ଲକ୍ଷ୍ୟ ଆମକୁ ଧ୍ୱଂସ କରିବା। ଦ୍ୱିତୀୟତଃ, ସେମାନଙ୍କର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ବୃଦ୍ଧି ପାଉଥିବା ଭଣ୍ଡାର। ଏହା ପ୍ରତିବର୍ଷ ୩,୬୦୦ କ୍ଷେପଣାସ୍ତ୍ର ତିଆରି କରିବାର କ୍ଷମତା ରଖିଛି। ତିନି ବର୍ଷରେ ୧୦,୦୦୦ କ୍ଷେପଣାସ୍ତ୍ର ଏବଂ ୨୬ ବର୍ଷରେ ୨୦,୦୦୦ କ୍ଷେପଣାସ୍ତ୍ର। ଏତେ ଛୋଟ ଦେଶ ଇସ୍ରାଏଲ ଏହାକୁ ସହ୍ୟ କରିପାରିବ ନାହିଁ। ଆମକୁ ଯେକୌଣସି ମୂଲ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଲା।
ଇସ୍ରାଏଲର ଏହି କାର୍ଯ୍ୟ କେବଳ ନିଜ ସୁରକ୍ଷା ପାଇଁ ନୁହେଁ। ବରଂ ସମଗ୍ର ବିଶ୍ୱକୁ ଇରାନ ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ରକ୍ଷା କରିବା ପାଇଁ। ଇରାନ ଏକ ବିଶାଳ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରି ଇସ୍ରାଏଲୀ ସହରଗୁଡ଼ିକ ଉପରେ ଆକ୍ରମଣ କରି ଏହାର ଜବାବ ଦେଇଥିଲା, କିନ୍ତୁ ଅଧିକାଂଶ କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରାଯାଇଥିଲା।
-ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରଧାନମନ୍ତ୍ରୀ, ଇସ୍ରାଏଲ
ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବହୁତ ପଛକୁ ଠେଲି ଦେଇଛି। ଇରାନ ସହିତ ଆଲୋଚନା କରିବାର କୌଣସି ଅର୍ଥ ନାହିଁ କାରଣ ଏହା ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏକ ସରକାର। ନେତାନ୍ୟାହୁ ଇସ୍ରାଏଲର କାର୍ଯ୍ୟକୁ ‘ଅପରେସନ୍ ରାଇଜିଂ ଲାୟନ୍‘ ବୋଲି ଅଭିହିତ କରି ଏହାକୁ ‘ଇତିହାସର ସବୁଠାରୁ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ’।
ଅଧିକ ପଢ଼ନ୍ତୁ: ଉଚ୍ଚସ୍ତରୀୟ କମିଟି ଗଠନ କଲେ ସରକାର